ଆଦାନୀ ଇସ୍କନ ରଥଯାତ୍ରା

ଭୁବନେଶ୍ୱର,୪।୭(ସୁନିତ୍‌ ମିଶ୍ର): ଚଳିତ ରଥଯାତ୍ରାରେ କେତେକ ନୂଆ ଘଟଣାକୁ ନେଇ ସାଧାରଣରେ ନାନା ପ୍ରକାର ଚର୍ଚ୍ଚା ଜୋର୍‌ ଧରିଛି। ଯେପରିକି ଭୁବନେଶ୍ୱରଠାରୁ ଆରମ୍ଭକରି ପୁରୀ ପର୍ଯ୍ୟନ୍ତ ଥିବା ରାସ୍ତାର ଉଭୟ ପାର୍ଶ୍ୱ ଆଦାନୀ କମ୍ପାନୀ ପକ୍ଷରୁ ବିଜ୍ଞାପନରେ ଛାଇ କରିଦିଆଯାଇଛି। କେବଳ ଜାତୀୟ ରାଜପଥ ନୁହେଁ, ପୁରୀ ସହର ସାରା ଏଭଳି ବଡ଼ବଡ଼ ପୋଷ୍ଟର ଲଗାଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏୟାରପୋର୍ଟ ଛକଠାରୁ ଆରମ୍ଭକରି ପୁରୀ ପର୍ଯ୍ୟନ୍ତ ସବୁଠି ‘ଆଦାନୀ ରଥଯାତ୍ରା’ ଉଲ୍ଲେଖ ଥିବାର ବଡ଼ବଡ଼ ହୋର୍ଡିଂ ମଧ୍ୟ ଲଗାଯାଇଛି। ଏହି ହୋର୍ଡିଂକୁ ଏପରି କରାଯାଇଛି, ଏହାକୁ ଦେଖିଲେ ଲାଗୁୁଛି, ଚଳିତ ରଥଯାତ୍ରା ଦେଶର ଶିଳ୍ପପତି ଆଦାନୀଙ୍କ ଦ୍ୱାରା ଆୟୋଜନ କରାଯାଉଛି। ଏଭଳି ଏକ ଗୋଳିଆ ପରିସ୍ଥିତି ସୃଷ୍ଟି କରିବାର ଉଦ୍ୟମ ଆଦାନୀଙ୍କ କମ୍ପାନୀ ପକ୍ଷରୁ କରାଯାଉଥିବାବେଳେ ନିଜେ ଗୌତମ ଆଦାନୀ ମଧ୍ୟ ନିଜ ପରିବାର ସହ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରାକୁ ଆସିଥିଲେ। ଆସି ପୁରୀଠାରେ ପହଞ୍ଚିଛନ୍ତି। ଆଦାନୀ ପୁରୀ ଆସିବା ପୂର୍ବରୁ ଆହୁରି ଅନେକ ସୁଚିନ୍ତିତ ଯୋଜନା ତାଙ୍କ ପକ୍ଷରୁ କରାଯାଇଥିବା ଲକ୍ଷ୍ୟ କରାଯାଇଛି। ଇସ୍କନକୁ ବ୍ୟବହାରକରି ସେ ଆଉ ଏକ ପ୍ରଚାର କାର୍ଯ୍ୟ ଚଳାଇବାକୁ ଚେଷ୍ଟା କରିଛନ୍ତି।
ରଥଯାତ୍ରା ଦିନ ଇସ୍କନ ପକ୍ଷରୁ ୪୦ ଲକ୍ଷ ଲୋକଙ୍କୁ ଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା। ଲୋକମାନଙ୍କୁ ଖାଦ୍ୟ ମଧ୍ୟ ବଣ୍ଟନ ହେଉଥିଲା। ହେଲେ ଲୋକଙ୍କୁ ଦିଆଯାଉଥିବା ଖାଦ୍ୟ ପ୍ୟାକେଟ୍‌ ଉପରେ ‘ଆଦାନୀ’ ଓ ‘ଇସ୍କନ’ ବୋଲି ଉଲ୍ଲେଖ ଥିଲା। ଏହାକୁ ଦେଖି ରଥଯାତ୍ରାରେ ଉପସ୍ଥିତ ଥିବା ଅନେକ ଲୋକ ଆଦାନୀ ଓ ଇସ୍କନ ବିଷୟରେ ନାନା ପ୍ରକାର ଆଲୋଚନା କରୁଥିବା ଶୁଣିବାକୁ ମଧ୍ୟ ମିଳିଥିଲା। ଏପରି ସ୍ଥିତିରେ ଜଣେ ବ୍ୟକ୍ତି ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ଦେଖିବାକୁ ମିଳିଥିଲା କେତେଜେଣ ବ୍ୟକ୍ତି ହାତରେ ଜଗନ୍ନାଥଙ୍କ ଫଟୋ ଥିବା ଏକ ପ୍ଲାକାର୍ଡ ଧରିଥିଲେ। ସେଥିରେ ଆଦାନୀ ରଥଯାତ୍ରା ବୋଲି ଉଲ୍ଲେଖ ଥିଲା। ଆଦାନୀ ପୁରୀ ଭିତରକୁ ପ୍ରବେଶ କରିବା ସମୟରେ ବହୁ ସଂଖ୍ୟାରେ ଲୋକ ସମାନ ଧରଣର ପ୍ଲାକାର୍ଡ ଧରି ଆଦାନୀଙ୍କୁ ସ୍ବାଗତ କରିବାକୁ ଅପେକ୍ଷା କରି ରହିଥିଲେ। ଆଦାନୀ ଚାଲିଯିବା ପରେ ସେମାନେ ସେହି ପ୍ଲାକାର୍ଡକୁ ଫୋପାଡି ଦେଇ ଚାଲିଯାଉଥିଲେ। ଭିଡିଓ ପୋଷ୍ଟ କରିଥିବା ପୁରୀର ସେହି ଯୁବକ ଜଣକ ସେମାନଙ୍କୁ ପ୍ରଶ୍ନ କରିଥିଲେ, ତୁମେମାନେ କ’ଣ ଯାଉଛ। ସେହି ବ୍ୟକ୍ତିମାନେ କିଛି ନ ବୁଝି ହଁ କହି ବାହାରୁଥିଲେ। ହେଲେ ଉକ୍ତ ଯୁବକ ଜଣକ ସେମାନଙ୍କୁ  ଅଟକାଇ ପ୍ରଥମେ ଜଗନ୍ନାଥଙ୍କ ଫଟୋ ଥିବା ସେହି ପ୍ଲାକାର୍ଡକୁ ଉଠାଇ ସାଙ୍ଗରେ ନେବା ଲାଗି ତାଗିଦ କରିଥିଲେ। କହିଥିଲେ, ଆଦାନୀ ଦେଶ ସାରା ସବୁଠି ଗରିବ ଲୋକଙ୍କ ଜଙ୍ଗଲ, ଜମି ଲୁଟି ବଡ଼ଲୋକ ହେବାରେ ବ୍ୟସ୍ତ। ଏଠିକି ଆଦାନୀ ଆସିବେ ବୋଲି ଜଗନ୍ନାଥଙ୍କ ଫଟୋକୁ ବ୍ୟବହାର କରି ତୁମମାନଙ୍କୁ ୨୦୦ରୁ ୪୦୦ ଟଙ୍କା ଦେଇଦେଲେ। ତୁମେମାନେ ଆସି ତାଙ୍କୁ ସ୍ବାଗତ କରିଦେଲ ଆଉ ଏବେ ଜଗନ୍ନାଥଙ୍କ ଫଟୋକୁ ଫୋପାଡି ଦେଇ ଚାଲିଯାଅ। ଏହିଭଳି ଏୟାରପୋର୍ଟ ଛକଠାରେ ଥିବା ଆଦାନୀ ରଥଯାତ୍ରା ଉଲ୍ଲେଖ ଥିବା ହୋର୍ଡିଂକୁ ଦେଖି ପ୍ରବଳ ନିନ୍ଦା କରିଥିଲେ। ରଥଯାତ୍ରା ସମୟରେ ପ୍ରାୟ ୧୫୦ରୁ ଅଧିକ ହୋମ୍‌ଗାର୍ଡଙ୍କୁ ପୁରୀ ସମୁଦ୍ରକୂଳରେ ମୁତୟନ କରାଯାଇଥିଲା। କୌଣସି ପର୍ଯ୍ୟଟକଙ୍କ ସହ ଯେପରି ଅଘଟଣ ନ ଘଟିବ ସେଥିଲାଗି ସେମାନେ ମୁତୟନ ଥିଲେ। ହେଲେ ସେହି ହୋମ୍‌ଗାର୍ଡମାନେ ନିଜ ପୋଲିସ ପୋଷାକ ପରିଧାନକରି ନ ଥିଲେ। ସେମାନଙ୍କୁ ଆଦାନୀ କମ୍ପାନୀର ଗଞ୍ଜି ପିନ୍ଧାଇ ସେଠାରେ ମୁତୟନ କରାଯାଇଥିଲା। ଗୌତମ ଆଦାନୀ ସେମାନଙ୍କ ସହ ଯାଇ ଫଟୋ ମଧ୍ୟ ଉଠାଇଥିଲେ। ସେମାନଙ୍କ ପୋଷାକ ଦେଖି ଲାଗୁଥିଲା ଯେପରି ପୁରୀ ସମୁଦ୍ରକୂଳର ଏହି ସୁରକ୍ଷା ଦାୟିତ୍ୱ ଯେପରି ଆଦାନୀ କମ୍ପାନୀ ତରଫରୁ କରାଯାଇଛି। ଏହି ବ୍ୟକ୍ତିମାନେ ଓଡ଼ିଶା ପୋଲିସର ସଦସ୍ୟ ବୋଲି ସେହି ଗଞ୍ଜିର କୌଣସିଠାରେ ଉଲ୍ଲେଖ ନ ଥିଲା।
ଏଠାରେ ଉଲ୍ଲେଖଯୋଗ୍ୟ,  ଜଗନ୍ନାଥଙ୍କୁ ନେଇ ଇସ୍କନ ଅନେକ ସମୟରେ କରୁଥିବା ଷଡ଼ଯନ୍ତ୍ରକୁ ନେଇ ବିବାଦ ଦେଖାଯାଉଛି। ଇସ୍କନ ଜଗନ୍ନାଥ ପରମ୍ପରାକୁ ଚ୍ୟାଲେଞ୍ଜକରି ଓଡ଼ିଶାରେ ଏବଂ ଦେଶ ବାହାରର ଅନେକ ସ୍ଥାନରେ ଅଦିନିଆ ରଥଯାତ୍ରା କରୁଥିବା ନଜରକୁ ଆସୁଛି। ଏହାକୁ ନେଇ ସରକାରଙ୍କ ଉପରକୁ ମଧ୍ୟ ଅନେକ ସମୟରେ ସାଧାରଣ ଲୋକମାନେ ଆଙ୍ଗୁଳି ଉଠାଉଛନ୍ତି। ରଥଯାତ୍ରାର କିଛିଦିନ ପୂର୍ବରୁ ହିଁ ଇସ୍କନ ଭାରତ ବାହାରେ ଅଦିନିଆ ରଥଯାତ୍ରା କରିଥିବାରୁ ବିବାଦ ସୃଷ୍ଟି ହୋଇଥିଲା। ହେଲେ ଏନେଇ ଇସ୍କନ ପକ୍ଷରୁ କୌଣସି ଉତ୍ତର ଦିଆଯାଇନାହିଁ। ଆଦାନୀ ସଂସ୍ଥା ସହଯୋଗରେ ଇସ୍କନ ପୁରୀରେ ଖାଦ୍ୟ ବିତରଣ କରିବା ଭଳି ଜନସେବାର ଏକ ଭଲ ନାଟକ ଆରମ୍ଭ କରିଛି ବୋଲି ସାଧାରଣରେ ଆଲୋଚନାର ବିଷୟବସ୍ତୁ ପାଲଟିଛି। ସାମାଜିକ ଗଣମାଧ୍ୟମ ଜରିଆରେ ଅନେକେ ପ୍ରଶ୍ନ କରୁଛନ୍ତି, ଆଦାନୀ ମାଧ୍ୟମରେ ଇସ୍କନ ହାତକୁ ଜଗନ୍ନାଥ ମନ୍ଦିର ଟେକିଦେବାକୁ କୌଣସି ଷଡ଼ଯନ୍ତ୍ର ଚାଲିନାହିଁ ତ।