କଟକ,୨୬।୨(କାର୍ତ୍ତିକ ସାହୁ/ପ୍ରଭୁ କଲ୍ୟାଣ ପାଲ): ବହୁ ଚର୍ଚ୍ଚିତ ଅଭିନେତ୍ରୀ ନିକିତା ହତ୍ୟାକାଣ୍ଡ ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। କଟକ ତୃତୀୟ ଅତିରିକ୍ତ ଜିଲା ଓ ଦୌରାଜଜ୍ ଅଦାଲତ ମାମଲାର ବିଚାର କରି ନିକିତାଙ୍କ ସ୍ବାମୀ ଲିପନ ସାହୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୨୦,୦୦୦ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟେ ୨ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ଏଥିସହ ମାମଲାରେ ଛନ୍ଦି ହୋଇଥିବା ଅଭିଯୁକ୍ତ ସ୍ବାମୀ ଲିପନଙ୍କ ବାପା ଲିଙ୍ଗରାଜ ସାହୁ ଓ ମା’ କୁନ୍ତଳା ସାହୁଙ୍କୁ ନିର୍ଦ୍ଦୋଷରେ ଅଦାଲତ ଖଲାସ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ୨୦୧୬ରେ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ଓରଫ (ନିକିତା)ଙ୍କୁ ଲିପନ ସାହୁ ବିବାହ କରିଥିଲେ। କଟକ ମହାନଦୀ ବିହାରସ୍ଥିତ ସେଲିବ୍ରେଶନ ମଣ୍ଡପରେ ହିନ୍ଦୁ ରୀତିନୀତି ଅନୁଯାୟୀ ନିକିତାଙ୍କୁ ଲିପନ ବିବାହ କରିଥିଲେ। ସ୍ବାମୀ ଲିପନ ବିବାହର କିଛି ଦିନ ପରେ ନିକିତାଙ୍କ ଉପରେ ଉଭୟ ଶାରୀରିକ ଓ ମାନସିକ ଅତ୍ୟାଚାର ଆରମ୍ଭ କରିଥିଲେ। ନିକିତାଙ୍କ ଫିଲ୍ମ ଅଭିନୟରୁ ମିଳୁଥିବା ପାରିଶ୍ରମିକ ଯେତିକି ରହିଥିଲା ତାହାଠୁ ଅଧିକ ଦେବାକୁ ଦାବି କରି ଶାଶୁଘର ଲୋକେ ତାଙ୍କୁ ଅତ୍ୟାଚାର କରୁଥିଲେ।
ନିକିତା ଗର୍ଭବତୀ ହେବାପରେ ମାନସିକ ଶାନ୍ତି ପାଇବା ପାଇଁ ଭୁବନେଶ୍ବରର ଏକ ଭଡ଼ାଘରେ ରହୁଥିଲେ। ୩ ମାସ ପରେ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଭଡ଼ା ଘର ଛାଡ଼ି ସେ ନିଜ ଘରକୁ ଫେରିଆସିଥିଲେ। କିନ୍ତୁ ତାଙ୍କ ଉପରେ ପୂର୍ବପରି ଅତ୍ୟାଚାର କମି ନ ଥିଲା ବରଂ ଅଧିକ ବଢ଼ିଥିଲା।
ନିକିତା ୨୦୧୯ରେ ଏକ ଶିଶୁପୁତ୍ର ଜନ୍ମ ଦେବା ପରେ ସ୍ବାମୀଙ୍କ ସହ ଶ୍ୱଶୁର ଘରକୁ ଯାଇଥିଲେ। ସେଠାରେ ହଠାତ ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ୨୦୧୯ ଜାନୁଆରୀ ୪ ତାରିଖ ସାରେ ଉଭୟ ସ୍ତ୍ରୀସ୍ବାମୀ ଛାତ ଉପରକୁ ଯାଇଥିଲେ। ଛାତ ଉପରୁ ନିକିତା ହଠାତ ତଳକୁ ଖସି ପଡ଼ି ଆହତ ହୋଇଥିଲେ। ନିକିତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସ୍ବାସ୍ଥାବସ୍ଥା ଖରାପ ହେବାରୁ ପୁଣି ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ୨୦୧୯ ଜାନୁଆରୀ ୫ରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ନିକିତାଙ୍କ ବାପାଘର ଲୋକେ ସ୍ବାମୀ ଓ ଶ୍ୱଶୁରଘର ଲୋକେ ଝିଅକୁ ଧକ୍କା ଦେଇ ହତ୍ୟା କରିଥିବା ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ପରେ ଏକ ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।