ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍ ପୋକ୍ସୋ ଜଜ୍ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀ ଜଣଙ୍କ ହେଲେ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳର ସନ୍ତୋଷ ଖଣ୍ଡେଇ(୨୭)। ଆଜୀବନ ଜେଲ ସହ ତାଙ୍କୁ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଭୋଗିବାକୁ ହେବ ବୋଲି ଜଜ୍ ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ମୃତା ନାବାଳିକାଙ୍କ ପରିବାର ଲୋକଙ୍କୁ ୮ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଜିଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।
୨୦୨୩ ଅଗଷ୍ଟରେ ଜଗନ୍ନାଥପ୍ରସାଦ ଥାନା ଅଧୀନ ବରକୁଳିଆ ଜଙ୍ଗଲରୁ ପୋଲିସ ଜଣେ ୧୬ ବର୍ଷୀୟା ନାବାଳିକାଙ୍କ ମୃତଦେହ ଜବତ କରିଥିଲା । ନାବାଳିକାଙ୍କ ତଣ୍ଟିଚିପି ହତ୍ୟା କରାଯାଇଥିବା ମୃତଦେହ ବ୍ୟବଚ୍ଛେଦ ପରେ ଜଣାପଡିଥିଲା। ଏ ନେଇ ବୁଗୁଡା ଥାନାରେ ନଂ.୬୦୪/୨୩ରେ ମାମଲା ରୁଜୁ ହୋଇଥିଲା। ପୋଲିସ ଏହାର ତଦନ୍ତ କରି ଅଭିଯୁକ୍ତ ସନ୍ତୋଷଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା।
ନାବାଳିକା ଏବଂ ଅଭିଯୁକ୍ତ ସମ୍ପର୍କରେ ଶାଳୀ-ଭିଣୋଇ ହୋଇଥିବାରୁ ସନ୍ତୋଷ ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ। ନାବାଳିକା ଜଣଙ୍କ ୬ମାସର ଗର୍ଭବତୀ ହୋଇଯିବା ପରେ ତାଙ୍କ ଗର୍ଭପାତ କରାଇବାକୁ ସେ ବ୍ରହ୍ମପୁର ଆଣିଥିଲେ। ହେଲେ କୌଣସି କାରଣରୁ ଗର୍ଭପାତ ହୋଇ ପାରି ନ ଥିଲା। ଗର୍ଭବତୀ ଶାଳୀଙ୍କୁ ସନ୍ତୋଷ ଘରକୁ ନେବା ବଦଳରେ ନିଜ ଗାଁ ନିକଟ ଜଙ୍ଗଲକୁ ନେଇ ସେଠାରେ ଚୁନିରେ ତାଙ୍କ ବେକକୁ ଚିପି ହତ୍ୟା କରିଥିଲେ । ପ୍ରମାଣ ନଷ୍ଟ ପାଇଁ ମୃତଦେହ ଉପରେ ଗଛଡାଳ ପକାଇ ସେଠାରୁ ଚମ୍ପଟ ମାରିଥିଲେ ବୋଲି ତଦନ୍ତରୁ ଜଣାପଡିଥିଲା ।
ମାମଲାର ତଦନ୍ତ ଅଧିକାରୀ ଅର୍ଜୁନ କଅଁର କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ । ବିଚାର ବେଳେ ୧୧ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ନାରାୟଣ ପଣ୍ଡା ମାମଲା ପରିଚାଳନା କରୁଥିଲେ ।

