ଶିଶୁପୁତ୍ରକୁ ଅପହରଣ ନୁହେଁ ପାଳିବାକୁ ନେଇଥିବା କହିଲେ ଅଭିଯୁକ୍ତ , ହେଲେ କହିଲେନି…

ଭୁବନେଶ୍ୱର,୧୫।୪: ଭୁନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର ହୋଇଛି। ପୋଲିସର ଏକ ସ୍ବତନ୍ତ୍ର ଟିମ ବାଲେଶ୍ୱରରୁ ପିଲା ଚୋରଙ୍କୁ ଧରିବା ସହ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ଅପହରଣକାରୀ କେଦାର ସେଠ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ପିଲାଟିକୁ ପାଳିବାକୁ ନେଇଥିଲୁ।
ଅପହରଣ କରିଥିବା ସ୍ବୀକାର କରିଥିବା ବେଳେ ମହିଳାଙ୍କ ପ୍ରରୋଚନାରେ ଅପହରଣ କରିଥିବା ସେ ମାନିଛନ୍ତି। ମାତ୍ର ଟଙ୍କା ନେଣଦେଣ ନେଇ ଅସ୍ବୀକାର କରିଛନ୍ତି କେଦାର। ତେବେ ସବୁଠୁ ବଡ଼ ପ୍ରଶ୍ନ ମହିଳାଙ୍କ ସ୍ବାମୀ ଥିବା ବେଳେ କେଦାର ତାଙ୍କର ସମ୍ପର୍କରେ କ’ଣ ହେବେ ଯାହାକୁ ଏଡାଇ ଯାଇଛନ୍ତି କେଦାର । ମହିଳାଙ୍କ ସହ ସମ୍ପର୍କ ନେଇ ସେ ମୁହଁ ଖୋଲି ନ ଥିଲେ।

ସୂଚନା ଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ରାମ ମନ୍ଦିର ସାମ୍ନାରେ ଭିକ୍ଷାବୃତ୍ତି କରୁଥିବା ଜଣେ ଦୃଷ୍ଟିବାଧିତ ମା’ଙ୍କ ପାଖରୁ ତାଙ୍କ ଦେଢ଼ବର୍ଷର ଶିଶୁପୁତ୍ରଙ୍କୁ ଚୋରି କରି ନିଆଯାଇଥିଲା। ପିଲାକୁ ହରାଇ ଭାଙ୍ଗିପଡ଼ିଥିବା ମା’ ଜୟନ୍ତୀ ମଲ୍ଲିକ ଏନେଇ ଖାରବେଳନଗର ଥାନାରେ ରବିବାର ଅଭିଯୋଗ କରିଥିଲେ। ପୋଲିସ ତାଙ୍କ ଏତଲାକୁ ଆଧାର କରି ଏକ ଅପହରଣଜନିତ ମାମଲା (ନଂ.୧୬୨/୨୦୨୫) ରୁଜୁ କରି ତଦନ୍ତ ତଦନ୍ତ ଆରମ୍ଭ କରିଥିଲା। ଜୟନ୍ତୀଙ୍କୁ ଦେଖାଯାଉ ନ ଥିବାରୁ ଅଭିଯୁକ୍ତ ଜଣକ ଏହାର ସୁଯୋଗ ନେଇ ଏହି କାଣ୍ଡ ଭିଆଇଥିଲେ।

ସୂଚନା ଅନୁଯାୟୀ, ଏତଲାକାରୀ ଜୟନ୍ତୀଙ୍କ ଦୁଇ ସନ୍ତାନ। ବଡ଼ଝିଅ ସାଇନ ୭ ବର୍ଷ ହୋଇଥିବାବେଳେ ବର୍ଷେ ୭ ମାସର ହୋଇଥିବା ସାନପୁଅ ଶୁଭମକୁ ଅପହରଣ କରାଯାଇଥିଲା। ଜୟନ୍ତୀ ନିଳାଦ୍ରୀ ବିହାରସ୍ଥିତ ଏକ କନ୍ୟାଶ୍ରମରେ ରହୁଥିବା ବେଳେ ଗତ ୫ବର୍ଷ ହେବ ରାମମନ୍ଦିର ସାମ୍ନାରେ ଭିକ୍ଷାବୃତ୍ତି କରୁଛନ୍ତି। ଦିନରେ ଭିକ୍ଷାବୃତ୍ତି କରି ରାତିରେ କନ୍ୟାଶ୍ରମକୁ ଫେରିଯାଆନ୍ତି। ରବିବାର ରାତିରେ ବର୍ଷା ହେବାରୁ ଜୟନ୍ତୀ ଆଶ୍ରମକୁ ଫେରିପାରି ନ ଥିଲେ। ସେ ରାତିରେ ରାମମନ୍ଦିର ସାମ୍ନାରେ ରହିଯିବା ସହ ଦୁଇପିଲା ମଧ୍ୟ ତାଙ୍କ ପାଖରେ ଥିଲେ।

ରାତି ପ୍ରାୟ ୧୨ଟା ବେଳେ ଜଣେ ବ୍ୟକ୍ତି ସେଠାକୁ ଆସି ସାନପୁଅ ସହ ଖେଳିଥିଲେ। ପୁଅକୁ କିଛି ଖାଦ୍ୟ ଦେବା ସହ ଜୁସ ମଧ୍ୟ ପିଇବାକୁ ଦେଇଥିଲେ। କୋଳକୁ ନେଇ ମୋବାଇଲ ଦେଖାଇଥିଲେ। ପିଲାଟି ମଧ୍ୟ ତାଙ୍କ ସହ ଖେଳିଥିଲା। ଏଭଳି ଦୁଇଘଣ୍ଟା ଧରି ଦୁର୍ବୃତ୍ତ ଜଣକ ପିଲା ସହ ହସିଖେଳି ସମୟ ବିତାଇଥିଲେ। ରାତି ପ୍ରାୟ ୨ଟା ବେଳେ ଜୟନ୍ତୀ ତାଙ୍କ ସାନପୁଅର ଡାକ ଶୁଣିବାକୁ ପାଇ ନ ଥିଲେ। ପରିବେଶ ଶୁନଶାନ ହୋଇଯିବାରୁ ଜୟନ୍ତୀ ସ୍ଥାନୀୟ ଲୋକଙ୍କୁ ଡାକ ପକାଇବା ସହ ପୋଲିସର ସାହାଯ୍ୟ ଲୋଡିଥିଲେ। ପୋଲିସ ଘଟଣାର ତଦନ୍ତ କରି ଶିଶୁପୁତ୍ରଙ୍କୁ ବାଲେଶ୍ୱରରୁ ଉଦ୍ଧାର କରିଛି। ଶିଶୁପୁତ୍ର ଉଦ୍ଧାର ପରେ ମା’ଙ୍କ ମୁହିଁରେ ହସି ଫୁଟିଛି।

Share