ପୋଲିସକୁ ଚକ୍‌ମା ଦେଇ ଚମ୍ପଟ ମାରିଲେ ବଳାତ୍କାର ଅଭିଯୁକ୍ତ

ବଡ଼ବିଲ,୨୯ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଞ୍ଚଳରେ ଏକ ବଳାତ୍କାର ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଡାକ୍ତରୀ ମାଇନା ନିମନ୍ତେ ନେଇଥିଲା ବେଳେ ପୋଲିସକୁ ଚକମା ଦେଇ ଅଭିଯୁକ୍ତ ଜଣକ ଚମ୍ପଟ ମାରିଥିବା ଜଣାପଡ଼ିଛି। ଚମ୍ପଟ ମାରିଥିବା ଅଭିଯୁକ୍ତ ଜଣକ ହେଲେ ବଡ଼ବିଲ ଥାନା କାଶିଆ (କ) ଗ୍ରାମର ଜୁନୁନ ସିଧୁ।
ସୂଚନା ଅନୁଯାୟୀ, ଗତ ଶୁକ୍ରବାର ପୋଲିସ ବଡ଼ବିଲ ଥାନା କେସ୍‌ ନଂ ୬୮/୨୩ରେ ରୁଜୁ ହୋଇଥିବା ଏକ ବଳାତ୍କାର କେସ୍‌ରେ ସଂପୃକ୍ତ ଜୁନୁନଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ଡାକ୍ତରୀମାଇନା ନିମନ୍ତେ ୩ ଜଣ ପୋଲିସ କନଷ୍ଟେବଳ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତରୀମାଇନା ମଧ୍ୟ ସରିଥିଲା, ହେଲେ ଠିକ୍‌ ଏତିକିବେଳେ ସୁଯୋଗ ଦେଖି ଅଭିଯୁକ୍ତ ଜୁନୁନ ୩ ପୋଲିସଙ୍କୁ ଚକ୍‌ମା ଦେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପାଚେରି ଡେଇଁ ଚମ୍ପଟ ମାରିଥିଲେ। ପୋଲିସ କର୍ମଚାରୀମାନେ ଅଭିଯୁକ୍ତଙ୍କ ପିଛା କରିଥିଲେ ହେଁ ଆଖିପିଛୁଳାକେ ଅଭିଯୁକ୍ତ ଜୁନୁନ ଖସିଯିବାରେ ସକ୍ଷମ ହୋଇଥିଲେ। ଜୁନୁନଙ୍କୁ ଧରିବାରେ ବିଫଳ ହୋଇ ପୋଲିସ କର୍ମଚାରୀ ଥାନାକୁ ସୂଚନା ଦେଇଥିଲେ। ତେବେ ୩ କନଷ୍ଟେବଳଙ୍କ ସୁରକ୍ଷା ବଳୟ ଭିତରୁ ଜଣେ ଅପରାଧୀ କିଭଳି ଚମ୍ପଟ ମାରିଲେ, ସେ ନେଇ ସନ୍ଦେହ ପ୍ରକାଶ ପାଇଛି। ଏପଟେ ଅଭିଯୁକ୍ତ ଚମ୍ପଟ ମାରିବା ନେଇ ଖବର ପାଇ ପୋଲିସର ଏକାଧିକ ଟିମ୍‌ ବିଭିନ୍ନ ଅଞ୍ଚଳରେ ଖାନ୍‌ତଲାସି ଜାରି ରଖିଥିଲେ ହେଁ ଅଭିଯୁକ୍ତଙ୍କର କୌଣସି ସୁରାକ ପାଇପାରିନାହିଁ। ଏ ନେଇ ବଡ଼ବିଲ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରମୋଦିନୀ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ଅଭିଯୁକ୍ତଙ୍କ ଚମ୍ପଟ ହେବା ନେଇ ବଡ଼ବିଲ ଥାନା କେସ୍‌ ନଂ ୧୨୮/୨୩ରେ ଏକ ମାମଲା ରୁଜୁ ହୋଇଛି, ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି।