
କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋଟିଂ କୋଅପରେଟିଭ ସୋସାଇଟି ଉପରେ ଇଓଡବ୍ଲ୍ୟୁର ବଡ଼ ରେଡ୍। କୋଟି କୋଟି ଟଙ୍କାର ହେରଫେର ନେଇ ସୋସାଇଟିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାଶଙ୍କୁ କେନ୍ଦୁଝରରୁ ଶୁକ୍ରବାର ଉଠାଇ ନେଇଥିବା ବେଳେ ଶନିବାର ଗିରଫ କରି ଇକୋନୋମିକ୍ ଅଫେନ୍ସ ଓ୍ବିଙ୍ଗ (ଇଓଡବ୍ଲ୍ୟୁ), ଓଡ଼ିଶା ବାଲେଶ୍ୱର କୋର୍ଟ ଚାଲଣ କରାଯାଇଛି। ଇଓଡବ୍ଲ୍ୟୁ ପ୍ରେସ ବିଜ୍ଞପ୍ତି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜାଲ୍ ଦସ୍ତାବିଜ୍ ଦେଇ ଏହି ସୋସାଇଟିରୁ ୪୦ ରୁ ୫୦ କୋଟି ଟଙ୍କା ହଡ଼ପ ହୋଇଥିବା ନେଇ ବିଶ୍ୱନାଥ ରାଉଳ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ। ଏହା ପରେ ଇଓଡବ୍ଲ୍ୟୁ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସଂସ୍ଥା ଶୁଆକାଟି ଖଣି ପ୍ରଭାବିତ ଲୋକଙ୍କର ସୁବିଧା ପାଇଁ ୨୦୦୬ରେ ଗଠନ କରାଯାଇଥିଲା। ହେଲେ ଏହାର କିଛି ଅସାଧୁ କର୍ମକର୍ତ୍ତା ଜାଲି ଦସ୍ତାବିଜ ମଧ୍ୟମରେ ବିଭିନ୍ନ କାର୍ଯ୍ୟ ଓ ସଙ୍ଗଠନ ନାଁରେ ବିନା ଟେଣ୍ଡର ଓ ଇଉଟିଲାଇଜେଶନ ସାର୍ଟିଫିକେଟ ବିନା କୋଟି କୋଟି ଟଙ୍କା ହଡ଼ପ କରୁଥିଲେ। ଏପରିକ କୌଣସି ଦେୟ ବା ଖର୍ଚ୍ଚ ସମ୍ବନ୍ଧୀୟ କୌଣସି ଦସ୍ତାବିଜ ଯଥା କ୍ୟାଶ ବହି, ଲେଜର ବହି ଆଦି ନାହିଁ। ଏପରିକି କୋଟି କୋଟି ଟଙ୍କା ବିନା ଚେକ କିମା ଏଫଟି ଆଦିରେ ନଦେଇ ସିଧା ସଳଖ ଟଙ୍କା ଆକାରରେ ଦିଆଯାଉଥିଲା। ତଦନ୍ତ ସମୟରେ ଏଭଳି ତଥ୍ୟ ଖୁଲାସା ହୋଇଛି। ଯାହାକି ଇଓଡବ୍ଲ୍ୟୁକୁ ଆଶ୍ଚର୍ଯ୍ୟ କରିଛି। ଏହି ଅନିୟମିତତା ନେଇ ସଭାପତି କିମ୍ବା ସମ୍ପାଦକ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ତେଣୁ ଇଓଡବ୍ଲ୍ୟୁ ଏହି ଦୁଇ ଜଣଙ୍କୁ ଗିରଫ କରିବା ସହ ସଂସ୍ଥାର ଅନେକ ଦସ୍ତାବିଜ୍ ଜବତ କରିଛି।