ଅମରପାଲି,୧୪ା୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହରିହର ଯୋର (ଠେଙ୍ଗୋ ଡ୍ୟାମ୍) ଫାଣ୍ଡି ଅଧିନସ୍ଥ ଦୁର୍ଜନତୈଲା ଅଞ୍ଚଳରେ ଜଣେ ଆଦିବାସୀ ଯୁବତୀଙ୍କୁ ଅସଦାଚରଣ ସହିତ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ କିଛି ଦିନ ପୂର୍ବରୁ ଯୁବତୀ ଜଣକ ବ୍ରାହ୍ମଣୀପାଲି ଗ୍ରାମର ପ୍ରଶାନ୍ତ କମ୍ପ ନାମକ ଜଣେ ଯୁବକଙ୍କୁ କିଛି ଟଙ୍କା ଧାର ମାଗିଥିଲେ। ମାତ୍ର ଗତ ୬ ତାରିଖରେ ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ଆଉ ଜଣେ ଯୁବକଙ୍କ ସହିତ ଆସି ଯୁବତୀଙ୍କୁ ଫୋନ କରି ଟଙ୍କା ନେବା ପାଇଁ ଡାକିଥିଲେ। ଯୁବତୀ ଜଣକ ମନା କରିଥିଲେ ମଧ୍ୟ ଯୁବକ ଜଣକ ବାଧ୍ୟ କରିବାରୁ ଶେଷରେ ଯୁବତୀ ଜଣକ ଘରୁ ରାସ୍ତା ପର୍ଯ୍ୟନ୍ତ ଯାଇଥିଲେ। ଯୁବତୀ ଜଣକ ସେଠାରେ ପହଞ୍ଚିବା ପରେ ଉଭୟ ଯୁବକ ତାଙ୍କୁ ଅସଦାଚରଣ କରିଥିଲେ। ଯୁବତୀ ସେଠାରୁ ଘରକୁ ଦୌଡ଼ିଦୌଡ଼ି ପଳାଇ ଯାଉଥିବାବେଳେ ତାଙ୍କୁ ଟଣାଓଟରା କରିଥିଲେ। ଏହି ସମୟର ସେମାନେ ଯୁବତୀଙ୍କୁ ଡ୍ରେସକୁ ମଧ୍ୟ ଫାଡ଼ି ଦେଇଥିବା ଯୁବତୀ ଅଭିଯୋଗ କରିଛନ୍ତି। ଏହା ସହିତ ସେ ଧରିଥିବା ମୋବାଇଲକୁ ମଧ୍ୟ ସେମାନେ ନେଇ ଯାଇଥିଲେ। ଯଦି ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇ ଗାଳିଗୁଲଜ କରିଥିବା ଯୁବତୀ ଅଭିଯୋଗ କରିଛନ୍ତି। ଯୁବତୀ ଜଣକ ଘରେ ପହଞ୍ଚି ଘଟଣା ବିଷୟରେ ତାଙ୍କ ପରିବାର ଲୋକଙ୍କୁ କହିଥିଲେ।
ଯୁବତୀ ଜଣକ ବୀରମହାରାଜପୁର ଥାନାରେ ଅଭିଯୋଗ କରିଥିଲେ। ଏନେଇ ଥାନାରେ ଏକ ମାମଲା ( କେସ ନଂ ୨୩୧/୨୫ ) ରୁଜୁ କରିଥିଲା ବୀରମହାରାଜପୁର ପୋଲିସ। ତେବେ ଅଭିଯୋଗ ପରେ ସପ୍ତାହେ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ଙ୍କୁ ଧରିବାରେ ବିଫଳ ହୋଇଛି। ଅଭିଯୁକ୍ତମାନେ ବେଫିକର ଭାବେ ବୁଲାବୁଲି କରୁଛନ୍ତି। ତେଣୁ ଯୁବତୀ ଜଣକ ଗୁରୁବାର ତାଙ୍କ ମାଆଙ୍କ ସହିତ ପୁଣି ଥରେ ଥାନାକୁ ଯାଇ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏନେଇ ବୀରମହାରାଜପୁର ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ନମ୍ବର ଅଫ୍ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରି ନ ଥିଲା। ପରେ ଉଖଣ୍ଡିୟ ପୋଲିସ ଅଧିକାରୀ ହେମନ୍ତ ରାଓଙ୍କୁ ପଚାରିବାରୁ ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା କହିଛନ୍ତି।