ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗରେ ଯାଜପୁର ଏସ୍ପି ୟଶ ପ୍ରତାପ ଶ୍ରୀମଲ ବ୍ରହ୍ମବରଦା ଥାନାର ଜଣେ ଏଏସ୍ଆଇ ଓ ୨ ଜଣ କନଷ୍ଟେବଳଙ୍କୁ ସସପେଣ୍ଡ କରିଛନ୍ତି।
ସୂଚନା ଅନୁଯାୟୀ, ଏକ ଚୋରି ମାମଲାରେ ପଚରାଉଚରା କରିବା ପାଇଁ ପୋଲିସ ଜଣେ ଦୁର୍ବୁତ୍ତକୁ କାବୁ କରି ବ୍ରହ୍ମବରଦା ଥାନାକୁ ଆଣିଥିଲା। ମାତ୍ର ଗତକାଲି ବିଳମ୍ବିତ ରାତିରେ ପୋଲିସକୁ ଚକମା ଦେଇ ଅଭିଯୁକ୍ତ ଜଣକ ଥାନାରୁ ଫେରାର ହୋଇଯାଇଥିଲା। କେବଳ ସେତିକି ନୁହେଁ, ଥାନାରୁ ଖସିବା ପରେ ଅଭିଯୁକ୍ତ ଜଣକ ଥାନା ନିକଟରେ ଥିବା ଏକ ଘରୁ ଗାଡ଼ି ନେଇ ଚମ୍ପଟ ମାରିଥିବା ଜଣାପଡ଼ିଛି।
ଥାନା ପରିସରରୁ ଅଭିଯୁକ୍ତ ଏଭଳି ଭାବେ ଫେରାର ହେବା ଘଟଣା ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଜିଲା ଏସପି ତୁରନ୍ତ ୩ ପୋଲିସ କର୍ମଚାରୀଙ୍କ ବିରୋଧରେ ସସପେନସନ ଆଦେଶ ଜାରି କରିଛନ୍ତି।