ବାପାମା’ ନ ଥିବା ବେଳେ କରୁଥିଲେ ବଳାତ୍କାର, ନାବାଳିକା ଗର୍ଭବତୀ ହେବା ପରେ ଫେରାର;  ୪୬ ବର୍ଷୀୟ ତାରିଣୀଙ୍କୁ…

ମୋହନା, ୧୩।୩ (ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅଞ୍ଚଳରେ ଜଣେ ୧୩ ବର୍ଷୀୟ ନାବାଳିକାକୁ ବଳାତ୍କାର କରାଯାଇଥିବା ଭଳି ଏକ ଅତ୍ୟନ୍ତ ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି। ଏହି ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ଅଭିଯୁକ୍ତ ତାରିଣୀ ପ୍ରଧାନ (୪୬)କୁ ମୋହନା ପୋଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି।
ପୋଲିସର ସୂଚନା ଅନୁଯାୟୀ, ମଳାସପଦର ଗ୍ରାମର ତାରିଣୀ ପ୍ରଧାନ ସେହି ଗ୍ରାମର ଜଣେ ନାବାଳିକା ସହ ବାରମ୍ବାର ଅବୈଧ ସମ୍ପର୍କ ରଖି ଆସୁଥିଲେ। ନାବାଳିକାର ବାପା-ମାଆ ଦିନ ମଜୁରିଆ ଭାବେ କାମ କରିବାକୁ ପ୍ରତିଦିନ ଘରୁ ବାହାରକୁ ଚାଲିଯାଆନ୍ତି। ଏହାର ସୁଯୋଗ ନେଇ ତାରିଣୀ ନାବାଳିକାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇବା ସହ ଭୟଭୀତ କରାଇ ତା’ ସହ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିଲେ। ନାବାଳିକା ଜଣକ ଗର୍ଭବତୀ ହେବା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା। ଋତୁସ୍ରାବ ବନ୍ଦ ହେବାରୁ ମାଆ ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ, ଯେଉଁଠାରେ ଡାକ୍ତର ଝିଅ ଗର୍ଭବତୀ ଥିବା ନେଇ ସ୍ପଷ୍ଟ କରିଥିଲେ।
ଘଟଣା ସମ୍ପର୍କରେ ଜାଣିବା ପରେ ମୋହନା ଚାଇଲ୍ଡ ଲାଇନର ସଦସ୍ୟମାନେ ଗ୍ରାମରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲେ ଏବଂ ମୋହନା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ମାତ୍ରେ ଅଭିଯୁକ୍ତ ତାରିଣୀ ଫେରାର ହୋଇଯାଇଥିଲେ। ଦୀର୍ଘ ଦିନର ଖୋଜାଖୋଜି ପରେ ପୋଲିସ ତାଙ୍କୁ ଆଜି ଗିରଫ କରିବାରେ ସଫଳ ହୋଇଛି।
ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ତାରିଣୀ ଜଣେ ଅଭ୍ୟାସଗତ ଅପରାଧୀ। ୨୦୧୯ ମସିହାରେ କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଧ୍ୟ ଜଣେ ଯୁବତୀଙ୍କ ସହ ଅବୈଧ ସମ୍ପର୍କ ରଖିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା। ସେତେବେଳେ ଉତ୍ତ୍ୟକ୍ତ ଗ୍ରାମବାସୀ ଅଭିଯୁକ୍ତଙ୍କ ଘର ଭାଙ୍ଗି ଦେଇଥିଲେ। ବର୍ତ୍ତମାନ ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଜେଲ ପଠାଇଥିବା ବେଳେ ପୀଡ଼ିତା ନାବାଳିକାକୁ ଉପଯୁକ୍ତ ସୁରକ୍ଷା ଓ ନ୍ୟାୟ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଛି।
Dharitri – Odisha’s No.1 Odia Daily

Share