ଆଜିର ସମୟରେ ଦେଶର ସାମୂହିକ ବିକାଶଧାରାକୁ ତ୍ୱରାନ୍ବିତ କରିବା ପାଇଁ ଯୁବଶକ୍ତି ଏକ ବଳିଷ୍ଠ ଉପାଦାନ। ଯେଉଁ ଦେଶର ଯୁବଶକ୍ତି ଯେତେ ସୁଦୃଢ଼ ସେ ଦେଶ ସେତେ ଉନ୍ନତ। ଦେଶର ବୟସ୍କଙ୍କ ପ୍ରଜ୍ଞା, ଧୀଶକ୍ତି, ପ୍ରଚଣ୍ଡ ଅନୁଭୂତି ଓ ସର୍ବୋପରି ଉପଦେଶ ଦେବାର ଦକ୍ଷତା ସେମାନଙ୍କୁ ଗୁରୁଜନର ଆଖ୍ୟା ଦେଇଥାଏ। ସେହିମାନେ ଯୁବଶକ୍ତିକୁ ଠିକ୍ ଦିଗ୍ଦର୍ଶନ ଦେଇପାରିବେ। ସାରାଜୀବନର ଆବେଗ ଅନୁଭବ ଓ ମଣିଷ ଗଢ଼ିବାର ଅସାଧାରଣ କଳାକୌଶଳ ବିମଣ୍ଡିତ ବୟସ୍କଙ୍କର ଅନ୍ୟତମ ଦାୟିତ୍ୱ ହେଲା ଯୁବଶକ୍ତିକୁ ସୁସଂଗଠିତ ଓ ସୁପରିଚାଳିତ କରିବା। ଭାରତ ଜନସଂଖ୍ୟାର ପ୍ରାୟ ୬୫ ପ୍ରତିଶତ ଯୁବଶକ୍ତି ଦ୍ୱାରା ଅଧିକୃତ। ଯୁବଶକ୍ତିର ସୁଦୃଢ଼ୀକରଣ ଉପଯୁକ୍ତ ଶିକ୍ଷା ଉପରେ ନିର୍ଭରକରେ। ଆମ ଶିକ୍ଷା ବ୍ୟବସ୍ଥା ଏପରି ହେବା ଆବଶ୍ୟକ ଯାହା ଦେଶର ଭବିଷ୍ୟତ ପିଢ଼ିକୁ ଉପଯୁକ୍ତ ଭାବେ ଗଢ଼ିତୋଳିପାରିବ।
ମଣିଷକୁ ମଣିଷ ପରି ଗଢ଼ିତୋଳିବା ପାଇଁ ଯେଉଁ ଉପଯୋଗ ଆବଶ୍ୟକ ତାହାର ପ୍ରଥମ ସେପାନ ପରିବାର ତଥା ମା,ବାପା ଓ ଦ୍ୱିତୀୟ ଶିକ୍ଷାଳୟ ଯେଉଁଠି ବ୍ୟକ୍ତିର ବ୍ୟକ୍ତିତ୍ୱ ନିର୍ଦ୍ଧାରିତ ହୁଏ। ଶୈଶବରେ ମାନବଶିଶୁ ଏକ ମାଟି ପିଣ୍ଡ ସଦୃଶ। କୁମ୍ଭକାର ତାକୁ ଯେପରି ରୂପ ଦେବ ସେ ସେପରି ରୂପଧାରଣ କରିବ। ମୃତ୍ତିକାପିଣ୍ଡଟି ଶୁଷ୍କ ବା ଅଗ୍ନିଦଗ୍ଧ ହେଲାପରେ ଯେପରି ଆଉ ସିଧା କରିହେବ ନାହିଁ ଏବଂ ସଳଖିବାକୁ ଚେଷ୍ଟାକଲେ ତାହା ଭାଙ୍ଗିଯିବ, ଠିକ୍ ସେହିପରି ଶୈଶବ ଓ କୈଶୋରରେ ଉପଯୁକ୍ତଭାବେ ନିର୍ମାଣ କରାଯାଇ ନ ଥିଲେ ପରେ ସଂଶୋଧିତ ହେବା ଏକ ଦୁରୂହ ବ୍ୟାପାର। ପିଲାକୁ କୈଶୋରରେ କଷ୍ଟ ସହିଷ୍ଣୁ ହେବାକୁ ପ୍ରେରଣା ଦିଆଯାଇଥିଲେ ଭବିଷ୍ୟତରେ ଅନାଗତ ସମସ୍ତ ଦୁଃଖକୁ ସେ ସହଜରେ ଅତିକ୍ରମ କରିପାରିବ। ଅଯୋଧ୍ୟା ନରେଶ ଦଶରଥ ଚାହିଁଥିଲେ ନିଜ ପୁତ୍ରଙ୍କୁ ରାଜକୀୟ ଆଡ଼ମ୍ବର ମଧ୍ୟରେ ରାଜଭବନରେ ଶିକ୍ଷା ଦେବାର ବ୍ୟବସ୍ଥା କରିପାରିଥା’ନ୍ତେ। ମାତ୍ର ରାଜକୀୟତାକୁ ପରିହାରକରି ଦୁର୍ଗମ ବନ ପ୍ରାନ୍ତରେ ମହର୍ଷି ବଶିଷ୍ଠଙ୍କ ଭଳି ଗୁରୁଙ୍କ ଆଶ୍ରମରେ ରଖାଇ ଶିକ୍ଷାଦାନର ବ୍ୟବସ୍ଥା କରିଥିବାରୁ ଜୀବନରେ ପ୍ରତିଟି ଅନାଗତ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାର ଧୁରୀଣ ବିଦ୍ୟାରେ ପୁତ୍ରମାନେ ନିପୁଣ ହୋଇପାରିଥିଲେ। ଶ୍ରୀକୃଷ୍ଣ ମଧ୍ୟ ଭ୍ରାତା ବଳରାମଙ୍କ ସହ ଗୁରୁ ସନ୍ଦିପନିଙ୍କର ଶିଷ୍ୟତ୍ୱ ଗ୍ରହଣକରି ଉପଯୁକ୍ତ ଶିକ୍ଷା ପ୍ରାପ୍ତି କରିଥିବାରୁ ଜୀବନର ସମସ୍ତ ପ୍ରତିକୂଳତାକୁ ବେଶ୍ ସହଜରେ ସାମ୍ନା କରିପାରିଥିଲେ।
ଦୁଃଖ ଓ ପରିତାପର ସହ କହିବାକୁ ହେଉଛି ଯେ ଆଜିକାଲି ଶିକ୍ଷାକେନ୍ଦ୍ରଗୁଡିକ ଶିକ୍ଷାକୈନ୍ଦ୍ରିକ ହେବାଠାରୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଶିକ୍ଷା ବ୍ୟବସାୟ ଉପରେ। ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରବେଶ କଲାବେଳକୁ ଛାତ୍ରୀଛାତ୍ର ଆଉ କିଶୋର ନ ହୋଇ ଜଣେ ଜଣେ ଦାୟିତ୍ୱସମ୍ପନ୍ନ ନାଗରିକରେ ପରିଣତ ହେବାର ଦ୍ୱାର ଦେଶରେ ଉପନୀତ। ସମ୍ପ୍ରତି ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରୀଛାତ୍ରଙ୍କ ସ୍ବପ୍ନ ସାକାର କରିବାରେ କେତେଦୂର ସକ୍ଷମ ତାହା ପ୍ରମୁଖ ଆଲୋଚନାର ବିଷୟ। ବିଗତ ଦିନଗୁଡ଼ିକରେ ସରକାରୀ ପରିଚାଳିତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଯେପରି ପିଲାଙ୍କର ସର୍ବାଙ୍ଗୀନ ବିକାଶରେ ମନପ୍ରାଣ ଢାଳି ଦେଉଥିଲେ ଆଜି ଆଉ ସେପରି ନାହିଁ କହିଲେ ଚଳେ। ସ୍ବାଧୀନୋତ୍ତର ଭାରତରେ ଶିକ୍ଷାବ୍ୟବସ୍ଥା ପରୀକ୍ଷାମୂଳକଭାବେ ନାନା ପରିବର୍ତ୍ତନ ଦେଇ ଗତି କରିଆସୁଛି। ବାସ୍ତବତାକୁ ନିରୀକ୍ଷଣ କଲେ ଏହା ସୁସ୍ପଷ୍ଟ ଯେ ଆଜିର ଶିକ୍ଷାବ୍ୟବସ୍ଥା ତା’ର ମହତ ଉଦ୍ଦେଶ୍ୟରୁ ବିଚ୍ୟୁତ ହୋଇସାରିଛି। ସମ୍ପ୍ରତି ଶିକ୍ଷାର୍ଥୀ ନିଯୁକ୍ତିକୁ ଶିକ୍ଷାର ଅସଲ ଉଦ୍ଦେଶ୍ୟ ବୋଲି ଗ୍ରହଣ କରୁଥିବା ବେଳେ ସେଥିରେ ଅସଫଳତା ଛାତ୍ରୀଛାତ୍ରଙ୍କ ମଧ୍ୟରେ ନୈରାଶ୍ୟ ଭରି ଦେଉଛି। ଫଳରେ ଜୀବନକୁ ନିରର୍ଥକ ମନେକରି ଆମତ୍ହତ୍ୟାକୁ ଶ୍ରେୟ ମନେକରୁଛନ୍ତି। ନିକଟରେ ଆଇଆଇଟି ଦିଲ୍ଲୀ ଓ ଆଇଆଇଟି ବମ୍ବେରେ ୨ଜଣ ଛାତ୍ର ଆମତ୍ହତ୍ୟା ଆମ ଆଲୋଚ୍ୟ ବିଷୟକୁ ସୁଦୃଢ଼ କରିଛି। ବୈଷୟିକ ଓ ମେଡିକାଲ ଶିକ୍ଷାରେ ଅସଫଳତା ପିଲାଙ୍କର ଏ ଦୁଃଖଦ ପରିଣତି ପାଇଁ ଦାୟୀ। ସମଗ୍ର ଦେଶରେ ଆମତ୍ହତ୍ୟାର ୮ ପ୍ରତିଶତ କେବଳ ଛାତ୍ରୀଛାତ୍ରଙ୍କ ଦ୍ୱାରା ଘଟୁଛି। ଏ ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ଅନୁଧ୍ୟାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଏସ୍.ରବୀନ୍ଦ୍ର ଭଟ୍ଟଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ଉକ୍ତ ଅନୁଧ୍ୟାନର ମୁଖ୍ୟ ଲକ୍ଷ୍ୟ ହେଉଛି ଉଚ୍ଚଶିକ୍ଷା କ୍ଷେତ୍ରରେ ଅବତୀର୍ଣ୍ଣ ଛାତ୍ରୀଛାତ୍ରଙ୍କର ମାନସିକ ସ୍ବାସ୍ଥ୍ୟ ପରୀକ୍ଷଣ ଓ ତାଙ୍କ ମନରେ ସୃଷ୍ଟିହେଉଥିବା ନୈରାଶ୍ୟକୁ ଦୂରକରି ସେମାନଙ୍କୁ ଆମତ୍ହତ୍ୟା ଭଳି ଚରମ ନିଷ୍ପତ୍ତିରୁ କିପରି ଉଦ୍ଧାର କରିହେବ ସେଥିପ୍ରତି ନିର୍ଭରଯୋଗ୍ୟ ବ୍ୟବସ୍ଥା ଗ୍ରହଣ କରିବା। ଇତିମଧ୍ୟରେ ସମଗ୍ର ଦେଶରେ ପ୍ରାୟ ୨.୪୩ ଲକ୍ଷରୁ ଅଧିକ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସର୍ବେକ୍ଷଣ କରାଯାଇଛି। ଉକ୍ତ ସର୍ବେକ୍ଷଣରୁ ଜଣାପଡ଼ିଛି ପ୍ରତି ୭ଜଣଙ୍କ ମଧ୍ୟରେ ଜଣେ ଅର୍ଥାତ୍ ପ୍ରାୟ ୧୫ ପ୍ରତିଶତ ଛାତ୍ରୀଛାତ୍ର ଗତ ୬ ମାସ ମଧ୍ୟରେ ଅତ୍ୟଧିକ ମାନସିକ ଚାପର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୯ ପ୍ରତିଶତଙ୍କ ମଧ୍ୟରେ ଆମତ୍ହତ୍ୟା ପ୍ରବଣତା ଥିବାର ଲକ୍ଷ୍ୟ କରାଯାଇଛି।
ମାନସିକ ଚାପକୁ ଅଧିକ ଦୃଢ଼ କରିବାରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକରେ ଜାତିଗତ ଓ ଲିଙ୍ଗଗତ ବୈଷମ୍ୟ, ଯୌନ ନିର୍ଯାତନା ଓ କେତେକ କ୍ଷେତ୍ରରେ କ୍ୟାମ୍ପସର ନକାରାମତ୍କ ପରିବେଶ ପିଲାଙ୍କୁ ଭିନ୍ନ ଭାବନାର ବଶୀଭୂତ କରିବା ପାଇଁ ଦାୟୀ। ଛାତ୍ରୀଛାତ୍ରମାନେ ବେଳେବେଳେ ନିଜକୁ ସେହି ଅନୁଷ୍ଠାନରେ ଅନ୍ତର୍ଭୁକ୍ତ ବୋଲି ଭାବିବାକୁ କଷ୍ଟ ଅନୁଭବ କରନ୍ତି। ଏପରିକି ସେମାନଙ୍କ ମନରେ ଏକ ଭାବନା ସୃଷ୍ଟିହୁଏ ଯେ ସେମାନେ ସତେ ଯେପରି କୌଣସି ବାହାର ଲୋକ। ଅଧିକାଂଶ କ୍ଷେତ୍ରରେ ସହାୟତା ଓ ସଚେତନତାର ଅଭାବ ସେମାନଙ୍କୁ ବିଚଳିତ କରିଛି। ପିଲାଟି ପରୀକ୍ଷାରେ ଅଧିକ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ଯେତେବେଳେ ତା’ଠାରୁ ନିକୃଷ୍ଟ ଛାତ୍ରୀ କିମ୍ବା ଛାତ୍ର କୌଣସି କାରଣରୁ କର୍ମ ନିଯୁକ୍ତିକୁ ଆପଣାଇନିଏ ସେତେବେଳେ ଭଲପିଲାଟି ଆମତ୍ହତ୍ୟା କରିବାକୁ ଚରମ ନିଷ୍ପତ୍ତି ନିଏ। ଦ୍ୱିତୀୟତଃ ଗୋଟିଏ ପଟେ ପିତାମାତାଙ୍କର ଜିଦ୍ ଓ ଅପରପକ୍ଷେ ଶିକ୍ଷାନୁଷ୍ଠାନ ପରିସରରେ ଭୟଙ୍କର ଅବ୍ୟବସ୍ଥା ତା’ର ମାନସିକ ଉଦ୍ବେଗକୁ ଭୂଲୁଣ୍ଠିତକରେ। ସେ ନିରୁପାୟ ହୋଇ ଭୟଙ୍କର ପରିଣତିକୁ ଆଦରିନିଏ। ଶିକ୍ଷାନୁଷ୍ଠାନର ପ୍ରତିକୂଳ ବାତାବରଣ ମଧ୍ୟ ପିଲାର ମାନସିକ ସ୍ବାସ୍ଥ୍ୟକୁ ଅସନ୍ତୁଳନ ପାଇଁ ଦାୟୀ। ତେଣୁ ଅନନ୍ୟୋପାୟ ହୋଇ ପିଲାଟି ଆମତ୍ହତ୍ୟାର ପଥ ବାଛିନିଏ। ପ୍ରତିଦିନ ଶିକ୍ଷାନୁଷ୍ଠାନରେ କିଛି ନା କିଛି ଛୋଟ ମୋଟ ଅଘଟଣ ଘଟି ଚାଲିଛି ଯେଉଁଥିରେ ପିଲାଙ୍କର ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହେଉଛି। ଦରିଦ୍ର ତଥା ସାଧାରଣ ପରିବାରର ପିଲାଙ୍କ ଅପେକ୍ଷା ଭିଆଇପି ପିଲାଙ୍କୁ ସବୁ କ୍ଷେତ୍ରରେ ଯେପରି ଗୁରୁତ୍ୱ ଦିଆଯାଉଛି ଏହା ମଧ୍ୟ ସାଧାରଣ ଛାତ୍ରୀଛାତ୍ରଙ୍କ ମାନସିକତାକୁ ଆଘାତ ଦେଉଛି। ଭିଆଇପିଙ୍କ ପିଲା ମେଧାବୀ ନ ହୋଇ ମଧ୍ୟ ତାକୁ ଯେପରି ଗୁରୁତ୍ୱ ଦିଆଯାଏ – ସାଧାରଣ ପିଲାଙ୍କ ମଧ୍ୟରେ ଏହା ଘୋର ନୈରାଶ୍ୟ ସୃଷ୍ଟିକରେ।
ଅଧିକାଂଶ ଉଚ୍ଚ ଶିକ୍ଷାନୁଷ୍ଠାନରେ କାଉନ୍ସେଲିଂ (ଉପଯୁକ୍ତ ପରାମର୍ଶ)ର ବ୍ୟବସ୍ଥା ନାହିଁ। ଯେଉଁ କେତେକ କ୍ଷେତ୍ରରେ ଏ ବ୍ୟବସ୍ଥା ଅଛି, ତାହା ନାମକୁ ମାତ୍ର। ଏ ସମସ୍ତ ବିଷୟରେ ସର୍ବୋଚ୍ଚ ନ୍ୟାୟାଳୟ ଅବଗତ ହୋଇ ଟାସ୍କଫୋର୍ସ ଗଠନ କରିଛନ୍ତି। ଟାସ୍କଫୋର୍ସ ସମସ୍ତ ବିଷୟକୁ ଅନୁଧ୍ୟାନକରି ଚଳିତ ଅକ୍ଟୋବର ୩୧ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦାଖଲକରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ରହିଛି। ଆଶା କରାଯାଏ, ଟାସ୍କଫୋର୍ସର ସୁପାରିସକୁ ଅନୁଧ୍ୟାନକରି ସର୍ବୋଚ୍ଚ ନ୍ୟାୟାଳୟ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବେ ଯାହା ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକର ଚିତ୍ର ପରିବର୍ତ୍ତନରେ ସହାୟକ ହେବ ଓ ଶିକ୍ଷାର୍ଥୀମାନେ ଚରମ ଓ ଦୁଃଖଦ ନିଷ୍ପତ୍ତି ନେବାରୁ ନିବୃତ୍ତ ହେବେ। ମାତାପିତା ଓ ଛାତ୍ରୀଛାତ୍ର ଉଭୟ ଆଶ୍ୱସ୍ତ ହେବେ।
ବୈକୁଣ୍ଠନାଥ ମିଶ୍ର
ସିଦ୍ଧଳକ, ଜଗତ୍ସିଂହପୁର
ମୋ: ୯୯୩୭୪୫୦୫୪୦