ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ ଠିକାଦାରଙ୍କ ଅହେତୁକ ବିଳମ୍ବ ଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଛି। ପ୍ରତିବାଦରେ ମଳାଭଞ୍ଜା ଗ୍ରାମ ମା ’ ସାତଭଉଣୀ ମନ୍ଦିର ନିକଟରେ ଗ୍ରାମବାସୀ ଶୁକ୍ରବାର ସକାଳୁ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଆନ୍ଦୋଳନକାରୀମାନେ ରାସ୍ତାକୁ ଖୋଳି ଦେଇଥିଲେ। ବାଇକକୁ ମଧ୍ୟ ଲୋକେ ଛାଡ଼ି ନଥିଲେ। ରାସ୍ତା ଅବରୋଧ ଯୋଗୁ ବ୍ରହ୍ମପୁରଠାରୁ ଭାୟା ଦିଗପହଣ୍ଡି ଦେଇ ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ମାଲକାନାଗିରି ସମେତ ପଡ଼ୋଶୀ ମଧ୍ୟପ୍ରଦେଶ, ଛତିଶଗଡ଼କୁ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ସଂଖ୍ୟାରେ ଗାଡ଼ିମୋଟର ଅଟକି ରହିଥିଲା। ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଯୋଗୁ ଗତ ୧ ବର୍ଷ ମଧ୍ୟରେ ଅନେକ ମୃତାହତ ହେଲେଣି। ପ୍ରାୟ ୧୨୦ କୋଟି ଟଙ୍କା ବ୍ୟୟରେ ୪୦ କିମି ରାସ୍ତା ନିର୍ମାଣ ନାଁରେ ଠିକାଦାର ଜଣକ ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜାଠାରୁ ଡେଙ୍ଗାଓସ୍ତା ଗ୍ରାମ ମଧ୍ୟରେ ଅନେକ ସ୍ଥାନରେ ରାସ୍ତାକୁ ଦୀର୍ଘଦିନ ହେଲା ସମ୍ପୂର୍ଣ୍ଣ ଖୋଳି ଛାଡ଼ି ଦେଇଛନ୍ତି। କିନ୍ତୁ କାମ କରୁନାହାନ୍ତି। ଫଳରେ ଲୋକେ ଯିବାଆସିବା ପାଇଁ ଘୋର ଅସୁବିଧା ଭୋଗୁଛନ୍ତି। ଉତ୍ତେଜିତ ଲୋକେ ରାସ୍ତା ଅବରୋଧ କରିଥିବା ଖବରପାଇ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ଯନ୍ତ୍ରୀ ବୃନ୍ଦ, ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍ପି ପ୍ରଶାନ୍ତ କୁମାର ପାତ୍ର ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଗ୍ରାମବାସୀଙ୍କ ସହ ଆଲୋଚନା କରି ଖୁବ୍ଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ସାରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା।