ଦେଓମାଳୀ ବୁଲିବାକୁ ଗଲାବେଳେ ଆଖିବୁଜିଲେ ଦୁଇ ସାଙ୍ଗ: ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି  ଅନ୍ୟଜଣେ

ପଟ୍ଟାଙ୍ଗି,୨୭।୦୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି ହାଇସ୍କୁଲ ସମୁଖରେ ଏକ ପିକ୍‌ଅପ ଭ୍ୟାନ ସହ ମୋଟର ସାଇକେଲ ଧକ୍କା ହୋଇଛି। ଏଥିରେ  ଘଟଣାସ୍ଥଳରେ ଜଣଙ୍କ  ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ,  ପଡୋଶୀ ଆନ୍ଧ୍ର ରାଜ୍ୟର ଆରୁକୁ ଭେଲିରୁ ଦୁଇଟି ମୋଟର ସାଇକେଲ ଯଥା ପଲ୍‌ସର ବାଇକ୍‌ରେ ୩ ଜଣ, ସ୍କୁଟିରେ ଜଣେ ୪ଜଣ ସାଙ୍ଗ  ଦେଓମାଳି ପର୍ଯ୍ୟଟନସ୍ଥଳୀ ବୁଲିବାକୁ ସେମିଳିଗୁଡା ଅଭିମୁଖେ ଦୁଇ ମୋଟର ସାଇକେଲରେ ଆଗ ପଛ ହୋଇ ଯାଉଲେ । ଏହି ସମୟରେ କୁନ୍ଦୁଲି ହାଇସ୍କୁଲ ନିକଟରେ ମୋଟର ସାଇକେଲ ସମୁଖରେ ଯାଉଥିବା ଆନ୍ଧ୍ର ଯାତ୍ରୀବାହୀ ବସ୍‌କୁ ଅତିକ୍ରମ କରିବାପାଇଁ ଚେଷ୍ଟା କରୁଥିବା ବେଳେ ମୋଟର ସାଇକେଲଟି ଉକ୍ତ ବସ୍‌ରେ ପିଟି ହେବା ଫଳରେ ବସ୍‌ର କିଛି ଅଂଶ ଭାଙ୍ଗି ଯାଇଥିଲା।
ଏହି ସମୟରେ ସମ୍ମୁଖରୁ ପଟ୍ଟାଙ୍ଗି ଅଭିମୁଖେ ଆସୁଥିବା ଏକ ପିକପ ଭ୍ୟାନ (ନଂ OD୦୭ D ୧୬୭୭) ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳେ ପାଣ୍ଡୁ ନାମକ ଜଣେ ଯୁବଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୨ ଜଣ ପ୍ରଶାନ୍ତ ଏବଂ ଜେମସଙ୍କୁ ଦୁର୍ଘଟଣାସ୍ଥଳରୁ କିଛି ଦୂରରେ ରହିଥିବା କୁନ୍ଦୁଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଭର୍ତ୍ତି କରାଯାଇଥିଲା।
ଚିକିତ୍ସାଧୀନ ଅବସ୍ଥାରେ ଜେମସ ନାମକ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଯୁବକ ଜି ପ୍ରଶାନ୍ତ ଗୁରୁତର ଥିବା ସହ ଡାହାଣ ଗୋଡ଼ ଭାଙ୍ଗି ଯାଇଛି। ଅଣ୍ଟାରେ ମଧ୍ୟ ଗଭୀର ଆଘାତ ଲାଗିଛି । ତାଙ୍କୁ  କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରା ଯାଇଥିବା ଜଣାପଡିଛି।
ସେପଟେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପଟ୍ଟାଙ୍ଗି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜାତୀୟ ରାଜପଥ ଉପରେ ପଡି ରହିଥିବା ମୃତଦେହ ଉଦ୍ଧାର କରି ଉପରୋକ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ପଲସର ମୋଟର ସାଇକେଲକୁ ଜବତ କରିଥିଲେ ମଧ୍ୟ ମୋଟର ସାଇକେଲର ନମ୍ବର ଜଣାପଡି ନ ଥିବା ସହ କୁନ୍ଦୁଲି ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।
Dharitri – Odisha’s No.1 Odia Daily