ଦିଗପହଣ୍ଡି,୧୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଶ୍ରୀ ଶନିଶ୍ଚର ମନ୍ଦିର ନିକଟ ମୁଖ୍ୟରାସ୍ତାରେ ରବିବାର ଦୁର୍ଘଟଣା ଘଟିଛି। ସକାଳେ ବୀଣାପାଣି ନାମକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଡି. ରୋହିତ ଦୋରା(୩୫)। ରୋହିତ ଏକ ଟିଭିଏସ ଏକ୍ସଲ ମୋପେଡରେ ଗାଁରୁ ଗୋକର୍ଣ୍ଣପୁର ଯାଉଥିବା ବେଳେ ବି. ତୁରୁବୁଡ଼ି ଗ୍ରାମରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସଟି ଦୃତଗତିରେ ତାଙ୍କୁ ପଛପଟୁ ଧକ୍କା ଦେଇ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ରୋହିତଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ବହୁ ସଂଖ୍ୟକ ଗ୍ରାମବାସୀ ଓ ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚି ବସଟିକୁ ଅଟକ ରଖିଥିଲେ। ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଦିଗପହଣ୍ଡି ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ପୋଲିସ ଯାତ୍ରୀବାହୀ ବସ ଏବଂ ମୋପେଡକୁ ଜବତ କରି ତଦନ୍ତ ଚଳାଇଛିି। ବସ୍ ଚାଳକ ଫେରାର ହୋଇଯାଇଛନ୍ତି।