ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭତରା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ-୫୫ରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ୮୩ ବର୍ଷ ବୟସ୍କ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ତଦନ୍ତ ପ୍ରକ୍ରିୟାରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦ ଓ ମୃତକ ପରିବାରଙ୍କୁ କ୍ଷତିପୂରଣ ଦାବିରେ ଶନିବାର ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ ମୃତଦେହ ରାସ୍ତା ଉପରେ ରଖି ଧନୁପାଲି ମହାବୀର ଛକରେ ରାସ୍ତାର ଅବରୋଧ କରିଛନ୍ତି। ଉତ୍ତ୍ୟକ୍ତ ଲୋକେ ଗାଡ଼ି ଚାଳକଙ୍କୁ ତୁରନ୍ତ ଗିରଫ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ପରିବାର ଲୋକଙ୍କୁ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ପ୍ରଦାନ ଦାବି କରିଛନ୍ତି। ଏହାସହ ରାସ୍ତାରେ ଜଳୁ ନଥିବା ଥିବା ଷ୍ଟ୍ରିଟ ଲାଇଟ ଜଳାଇବାକୁ ମଧ୍ୟ ଲୋକେ ଦାବି କରିଛନ୍ତି। ରାସ୍ତାରୋକୋ ଫଳରେ ଦୀର୍ଘ ସମୟ ହେଲା ଉକ୍ତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାଶର୍ବରେ ଆମ ବସ୍ ସହିତ ଅନ୍ୟାନ୍ୟ ଯାନବାହାନ ଲମ୍ବା ଲାଇନରେ ଅଟକି ରହିଛି। ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି।
ପଢ଼ନ୍ତୁ ➡️ ଟ୍ରକ ଧକ୍କାରେ ୫ମୃତ
ସୂଚନାଯେଗ୍ୟ, ଶୁକ୍ରବାର ମୃତକ ମହାବୀର ପଡ଼ାର ଅନ୍ତର୍ଯ୍ୟାମୀ ବେହେରା(୮୩) ସନ୍ଧ୍ୟା ଭ୍ରମଣରେ ଯାଇଥିଲେ। ସେ ଯାତୀୟ ରାଜପଥ-୫୫ରେ ଚାଲିଚାଲି ଯାଉଥିବା ବେଳେ ଅନ୍ତର୍ଯ୍ୟାମୀଙ୍କୁ ପଛରୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ତାଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅନ୍ତର୍ଯ୍ୟାମୀଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ଶନିବାର ତାଙ୍କର ମୃତଦେହ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହାବାଦ ମୃତଦେହ ରାସ୍ତା ଉପରେ ରଖି ରାସ୍ତାରୋକୋ ଆନ୍ଦୋଳନ ଆରମ୍ଭ ହୋଇଛି। ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଗାଡ଼ି ସହ ଚାଳକ ଫେରାର ହୋଇଥିବା ବେଳେ ପୋଲିସ ହାତୀବାରୀରୁ କେବଳ ଗାଡ଼ିକୁ ଜବତ କରିଛି। ମୃତ ଅନ୍ତର୍ଯ୍ୟାମୀଙ୍କ ପୁତ୍ର ସଞ୍ଜୀବ ବେହେରାଙ୍କ ଏତଲା କ୍ରମେ ଧନୁପାଲି ଥାନାରେ ଏକ ମାମଲା ରୁଜୁ କରି ପୋଲିସ ନିକଟରେ ଲାଗିଥିବା ସିସି କ୍ୟାମେରା ଆଦି ଯାଞ୍ଚ ପୂର୍ବକ ଗାଡ଼ି ଚିହ୍ନଟ ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଦୁର୍ଘଟଣା ଘଟାଇଥିବା ଗାଡ଼ିର ଚାଳକ ମଦ୍ୟପାନ କରିଥିଲେ। ଏପରିକି ସହର ମଧ୍ୟରେ ଧନୁପାଲି ରାସ୍ତାରେ ନୋ ଏଣ୍ଟ୍ରି ସମୟରେ ଭାରୀଯାନ ଚଳାଚଳ ନିଷିଦ୍ଧ ଥିବା ବେଳେ ଚାଳକ ମଧ୍ୟ ନିଶାସକ୍ତ ଥିଲେ। ଫଳରେ ଧନୁପାଲି ଛକରେ ନିୟୋଜିତ ଟ୍ରାଫିକ ପୋଲିସ ଉକ୍ତ ଗାଡ଼ିକୁ ଅଟକାଇ କେବଳ ଚାଲାଣ କାଟି ଛାଡ଼ି ଦେଇଥିଲେ। ଯାହା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି। ନିଶାସକ୍ତ ଚାଳକ ଆଗକୁ ଯାଇ ଏହି ଦୁର୍ଘଟଣା ଘଟାଇଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ସେହିପରି ରାସ୍ତାରେ ଷ୍ଟ୍ରିଟ ଲାଇଟ ଜଳୁ ନ ଥିବାରୁ ଏଅଞ୍ଚଳଟି ସର୍ବଦା ଅନ୍ଧକାର ରହିଥାଏ। ଏହା ଦୁର୍ଘଟଣାର ଅନ୍ୟ ଏକ ମୁଖ୍ୟ କରଣ ବୋଲି ଅଭିଯୋଗ କରି ତରନ୍ତ ଏହାର ପ୍ରତିକାର ଦାବି କରିଛନ୍ତି ଆନ୍ଦୋଳନକାରୀ।

