ଦିଗପହଣ୍ଡି,୨୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ ମାମୁ ଗତ ୧୫ ତାରିଖରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଭାରପ୍ରାପ୍ତ ଥାନା ଆଇଆଇସି ତଥା ଡିଏସ୍ପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୭୬/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ତଦନ୍ତକାରୀ ଅଧିକାରୀ ଏସ୍ଆଇ ଶୋଫିଆ ମିଶ୍ର ଅପହୃତା ନାବାଳିକାଙ୍କୁ ମଙ୍ଗଳବାର ଶେରଗଡ଼ ବସଷ୍ଟାଣ୍ଡରୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଏହି ମାମଲାରେ ପାଟପୁର ଥାନା ସାହାସପୁର ଗ୍ରାମର ଅଭିଯୁକ୍ତ ଚନ୍ଦନ ସ୍ବାଇଁଙ୍କୁ ଗିରଫ କରାଯାଇଛି। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଉଭୟଙ୍କ ଡାକ୍ତରୀ ମାଇନା କରାଯିବା ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଥିଲା। ବୁଧବାର ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋକ୍ସ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।
ସୂଚନାନୁଯାୟୀ, ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁର ଉକ୍ତ ନାବାଳିକାଜଣଙ୍କ ଅଭିଯୁକ୍ତଙ୍କୁ ଭଲ ପାଉଥିଲେ। ଗତ ପ୍ରାୟ ୧୦ ଦିନ ପୂର୍ବେ ସେ ଦିଗପହଣ୍ଡି ବ୍ଲକ ଅଧୀନ ତାଙ୍କ ଜେଜେ ମା’ଙ୍କ ଘର ଗାଁ କୁ ବୁଲି ଆସିଥିଲେ। ଗତ ୧୪ ତାରିଖରେ ଅଭିଯୁକ୍ତ ଚନ୍ଦନ ଉକ୍ତ ଗାଁରେ ପହଞ୍ଚି ନାବାଳିକାଙ୍କୁ ଫୋନ କରି ଡାକିଥିଲେ। ସେ ଆସିବାରୁ ତାଙ୍କୁ ବିବାହର ପ୍ରତିଶ୍ରୃତି ଦେଇ କନ୍ଧମାଳ ଜିଲା ବାଲିଗୁଡା ଗ୍ରାମକୁ ନେଇ ଏକ ଭଙ୍ଗା ସ୍କୁଲ ଘରେ ରଖି ମନା କରିବା ସତ୍ତ୍ୱେ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ପରେ ତାଙ୍କୁ ନେଇ ଶେରଗଡ଼ ଆସୁଥିବା ବେଳେ ତଦନ୍ତକାରୀ ଅଧିକାରୀ ମୋବାଇଲ ଟ୍ରାକିଂ କରି ପ୍ରଥମେ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ପରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।