ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ ଭିକ୍ଷା ମଧ୍ୟ କରୁ ଥିଲେ। ଶେଷରେ ଧରା ପଡ଼ି ଟ୍ରାକ୍ଟରରେ ବାଲି ଲୋଡ୍‌ କରିବା ସହ ରାସ୍ତା ସଫେଇ ପାଇଁ କୋଦାଳ ଧରାଇଲେ ଗ୍ରାମବାସୀ। ପରେ ଥାନାକୁ ଖବର ଦେଇ ପୋଲିସ ହାତରେ ଜିମା ଦେଇଥିଲେ। ଏମିତି ଏକ ଦୃଶ୍ୟ ଦେଖିବାକୁ ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧିନରେ।

ସୂଚନା ଅନୁଯାୟୀ ଉତୁକୁଡା ପଞ୍ଚାୟତ ବୁରୁଜାଲ ଗାଁର ବିଚିତ୍ର ରାଉଳ ନାମକ ଯୁବକ ବେଙ୍ଗାଲୁରୁ ଯିବା ପାଇଁ ଘରୁ ବାହାରି ଭଦ୍ରକ ଷ୍ଟେଶନରେ ଟ୍ରେନକୁ ଅପେକ୍ଷା କରି ଶୋଇଥିଲେ। ଶୁକ୍ରବାର ରାତି ୧୧ଟା ବେଳେ ଭଦ୍ରକ ଜିଲାର ବନ୍ତ ବ୍ଲକ ଅଧିନସ୍ଥ ବଡ଼ର୍ଚ୍ଚି କଇଁଆ ପଞ୍ଚାୟତ ଅଧିନସ୍ଥ ଶିଲପଟା ଗାଁର ନିରଞ୍ଜନ ମହାନ୍ତିଙ୍କ ପୁଅ ମାନସ ମହାନ୍ତି ନିଜର ରୂପ ବଦଳାଇ କିନ୍ନର ବେଶରେ ଭଦ୍ରକ ଷ୍ଟେଶନ ନିକଟରେ ଶୋଇବା ଥିବା ଅବସ୍ଥାରେ ବିଚିତ୍ରଙ୍କଠାରୁ ମୋବାଇଲ ସହିତ ଟଙ୍କା ନେଇ ଯାଇଥିଲେ। ଘୋଡ଼ାଇ ହୋଇ ଶୋଇଥିବା ଚାଦରକୁ ଟେକିଲା ବେଳକୁ ବିଚିତ୍ରଙ୍କ ନିଦ ଭାଙ୍ଗିବାରୁ ଦଉଡ଼ି ପଳାଇ ଯାଇଥିଲେ ଯୁବକ। ଗୋଡ଼ାଇ ଗୋଡ଼ାଇ ଷ୍ଟେଶନରୁ ଧରି ଘଟଣାରେ ପୋଲିସକୁ ଜିମା ଦେଇଥିଲେ। ପରେ ପୋଲିସ ଛାଡ଼ିବା ପରେ ସେ ତାଙ୍କର ଘର ଲୋକଙ୍କୁ ଖବର ଦେଇଥିଲେ। ଚୋରି କରୁଥିବା ଯୁବକଙ୍କୁ ଶନିବାର ଭଦ୍ରକରୁ ଚାନ୍ଦବାଲି ଆଣି ଉଗ୍ରତରା ଜାରରେ ରଖିଥିଲେ। ମୋବାଇଲ ଓ ଟଙ୍କା ଚୋରି ହେବାରୁ ବିଚିତ୍ର ବେଙ୍ଗାଲୁରୁ ନ ଯାଇ ଘରକୁ ଫେରି ଆସିଥିଲେ। ଚୋରି କଥା ନ ମାନିବାରୁ ରାସ୍ତା ସଫା କାମରେ ଲଗାଇ ପୋଲିସକୁ ଖବର ଦେଇ ଥିଲେ। ଘଟଣାସ୍ଥଳରେ ୧୧୨ ପୋଲିସ ଭ୍ୟାନ ପହଞ୍ଚି ଚୋରି କରିବା ଅଭିଯୋଗରେ ଚାନ୍ଦବାଲି ଥାନାକୁ ଛଦ୍ମବେଶୀ ଯୁବକଙ୍କୁ ନେଇ ଯାଇଙ୍‌ଥିଲେ। ପୋଲିସ ପକ୍ଷରୁ ତଦନ୍ତ ଚାଲିଛି। ଏହି ଘଟଣାରେ ଅନ୍ୟମାନେ ସମ୍ପୃକ୍ତ ଥାଇ ଚୋରି କରୁଥିବା ଦୃଷ୍ଟିରୁ ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି।

Dharitri – Odisha’s No.1 Odia Daily