ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରୀ ଭୁସି ମାରିଦେଲେ, ୨ ଯୁବକଙ୍କୁ କୋର୍ଟ ଚାଲାଣ କଲା…

ଭବାନୀପାଟଣା,୮।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୌରପାଳିକା ଅଫିସ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତ୍ରିରେ ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଛୁରୀ ଭୂସି ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ଭବାନୀପାଟଣା ସହର ବିବିସି ପଡାର ସତ୍ୟ ନାରାୟଣ ରାଏ(୨୪) ବୋଲି ଜଣାପଡିଛି। ଏ ନେଇ ମୃତକଙ୍କ ଭାଇ ଶିବମ ଶୁକ୍ରବାର ସକାଳରେ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।
ଟାଉନ ଥାନା ପୋଲିସ ତଦନ୍ତ କରି ଏହି ଘଟଣାରେ ସଂପୃକ୍ତ ଥିବା ୨ ଯୁବକଙ୍କ ସହ ଜଣେ ନାବାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ୨ ଯୁବକ ହେଲେ ଭବାନୀପାଟଣା ସହର ଦେୱାନସାହେବ ପଡାର ଶିବାନନ୍ଦ ଗୌଡ଼ (୨୮) ଓ ରୋଶନ ଲାଲ ବାଗ (୨୪)। ସେହିପରି ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହାଜର କରାଯାଇଛି। ଏ ନେଇଁ ଭବାନୀପାଟଣା  ଟାଉନ ଥାନାରେ ଏକ ମାମଲା ନଂ(୨୯୨/୨୫) ରୁଜୁ ହୋଇଛି। ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଛେଦ ପରେ ମୃତ ଦେହକୁ  ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରାଯାଇଛି।
ଅଭିଯୋଗ ଅନୁଯାୟୀ, ଭବାନୀପାଟଣା ପୌରପାଳିକା ଅଫିସ ଛକ ନିକଟରେ ଥିବା ଏକ ଚା’ ଦୋକାନକୁ ମୃତକ ଓ ତାଙ୍କ କିଛି ସାଙ୍ଗ ଚା ପିଇବାକୁ ଯାଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଉପରୋକ୍ତ ଅଭିଯୁକ୍ତଙ୍କ ସହ କୌଣସି କଥାକୁ ନେଇଁ  ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ହତ୍ୟାକାଣ୍ଡର ରୂପ ନେଇଥିଲା। ଅଭିଯୁକ୍ତ ମାନେ ଛୁରୀ ମାଡ଼ କରିବା ପରେ ସତ୍ୟ ନାରାୟଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।

Share