ସମ୍ବଲପୁର,୧୧ା୧(ପ୍ରମୋଦ ବହିଦାର): ସମ୍ବଲପୁର ସଦରଥାନା ଅନ୍ତର୍ଗତ ମିର୍ଗାମୁଣ୍ଡା ଗ୍ରାମରେ ରବିବାର ପୂର୍ବାହ୍ନରେ ଜଣେ ଯୁବକଙ୍କ ଗୁଳିରେ ସେହି ଗ୍ରାମର ଜଣେ ନାବାଳକ ଗୁରୁତର ହୋଇଛନ୍ତି। ସେ ହେଉଛନ୍ତି ମିର୍ଗାମୁଣ୍ଡା ଗ୍ରାମର ପ୍ରତାପ କିଷାନ(୯)। ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏୟାରଗନରୁ ଗୁଳି ଚଳାଇଥାବା ଅଭିଯୁକ୍ତ ଯୁବକ ସେହି ଗ୍ରାମର ଦିବ୍ୟାଂଶୁ ପୁରୋହିତ ଓରଫ ବିଟୁ(୨୫)ଙ୍କୁ ପୋଲିସ ଅଟକ ରଖିଥିବା ଖବର ମିଳିଛି। ତେବେ ଗୁଳିଚାଳନା ପରେ ଫେରାର ହେବାକୁ ଉଦ୍ୟମ କରିବା ସମୟରେ ଅଭିଯୁକ୍ତ ଦିବ୍ୟାଂଶୁ ପୋଲିସ ହାତୀବାରୀ ନିକଟରୁ ଧରିଥିଲା। ଏହାସହ ଗୁଳି ଚାଳନା ହୋଇଥିବା ଏହାରନାମ ଓ କାଟ୍ରିଜକୁ ପୋଲିସ ଜବତ କରିଛି। ଅପରପକ୍ଷରେ ଏହାକୁ ନେଇ ସଦରଥାନାରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି।