ବିବାହ କରିବି କହି ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବକ: ଆଉ ତା’ପରେ…

ଭୁବନେଶ୍ୱର,୨୮ା୬(ଅନୁରାଧା ମହାରଣା):ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିବା ଜଣେ ଯୁବକଙ୍କୁ ଲିଙ୍ଗରାଜ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ବଲାଙ୍ଗୀର ଜିଲା ସୁନାମୁଣ୍ଡି ଅଞ୍ଚଳର ଜିତେନ୍ଦ୍ର କୁମାର ସାହୁ। ଅଭିଯୋଗକାରିଣୀ ଯୁବତୀ ଜଣକ ମଧ୍ୟ ବଲାଙ୍ଗୀର ଜିଲାର ହୋଇଥିବାବେଳେ ଗତ ୨୦୨୨ ମସିହାରେ ଭୁବନେଶ୍ବରରେ ରହି ପାଠ ପଢୁଥିବା ବେଳେ ଏଠାରେ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିବା ଜିତେନ୍ଦ୍ରଙ୍କ ସହ ସମ୍ପର୍କ ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରଥମେ ଚିହ୍ନାପରିଚୟ ହୋଇଥିଲା ଏବଂ ପରେ ପରସ୍ପରର ଘନିଷ୍ଠ ବନ୍ଧୁ ହୋଇଯାଇଥିଲେ। ଅଭିଯୋଗକାରିଣୀ ଜଣକ ଚାକିରୀ ଅନ୍ବେଷଣରେ ଥିବା ଜାଣିବା ପରେ ଅଭିଯୁକ୍ତ ଜିତେନ୍ଦ୍ର ତାଙ୍କୁ ଇଣ୍ଟରଭ୍ୟୁ ସମ୍ପର୍କରେ କିଛିଟା ପରାମର୍ଶ ଦେବା କଥା କହି ନିଜ ଭଡା ଘରକୁ ଡାକିଥିଲେ। ୨୦୨୪ ମାର୍ଚ୍ଚ ୨୨ରେ ପୁରୁଣାଭୁବନେଶ୍ୱରସ୍ଥିତ ଅଭିଯୁକ୍ତଙ୍କ ଭଡା ଘରକୁ ଯୁବତୀ ଜଣକ ଯାଇଥିଲେ। ସେଠାରେ ଅଭିଯୁକ୍ତ ଜଣକ ତାଙ୍କୁ ବିବାହ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ବିବାହ କରିବାକୁ ମନା କରିବାରୁ ପୀଡିତା ଯୁବତୀ ଜଣକ ଥାନାର ଦ୍ୱାରସ୍ତ ହୋଇଥିଲେ।