କେନ୍ଦୁଝର,୧୧ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ପୁଟୁଳିଆ କ୍ରସିଙ୍ଗ ନିକଟରେ (ଓଡି-୧୧-ଏ-କେ-୧୧୬୩) ବାଇକ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଝୁମ୍ପୁରା ବ୍ଲକ ଅନ୍ତର୍ଗତ ମଲଦା ଗ୍ରାମର ଧୂଳିଆ ବାରିକଙ୍କ ସ୍ତ୍ରୀ ଆରତି (୫୩)। ପୁଟୁଳିଆ ଭଡ଼ା ଘରେ ଦୁଇପୁଅ ଏବଂ ସ୍ବାମୀଙ୍କ ସହ ଆରତି ରହୁଥିଲେ। ଆଜି ସେ ଅପରାହ୍ନରେ ରାସ୍ତା ଅତିକ୍ରମ କରୁଥିବାବେଳେ ଦ୍ରୁତଗତିରେ ଝୁମ୍ପୁରା ଅଭିମୁଖେ ଯାଉଥିବା ବାସୁଦେବପୁର ଗ୍ରାମର ବାଇକ୍ ଆରୋହୀ ସିପୁନ ନାଏକ ଆରତିଙ୍କୁ ଧକ୍କା ଦେଇଥିଲେ। ଫଳରେ ଗୋଡ଼ ଭାଙ୍ଗିଯିବା ସହ ଘଟଣା ସ୍ଥଳରେ ଆରତିଙ୍କ ମୃତ୍ୟୁ ଘଟିଛି। ଖବର ପାଇ ସଦର ଏଏସ୍ଆଇ ସତ୍ୟଜିତ୍ ନାୟକ ପୋଲିସ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବାଇକ୍ ଜବତ କରି ଥାନାକୁ ଆଣିଥିଲେ। ଏନେଇ ଏକ (୭୩/୨୬)ମାମାଲା ରୁଜୁ ହୋଇଛି। କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇଥିବା ଆରୋହୀ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।