ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏକ ନୂଆ କିସମ ଓ କଲମୀ ପ୍ରସ୍ତୁତିରେ ଚାଷ କରି ଜଣେ ମହିଳା ଲାଭବାନ ହୋଇଛନ୍ତି। ଏଭଳି ଦେଖିବାକୁ ମିଳିଛି ଉକ୍ତ ବ୍ଲକ ଶ୍ରାନିକେତା ପଞ୍ଚାୟତ ଦଣ୍ଡିମା ଗ୍ରାମରେ।
ପ୍ରକାଶ ଯେ, ଉକ୍ତ ଗ୍ରାମର ବନିତା ସାହୁ ପ୍ରଥମ ଥର ପାଇଁ କଲମୀ କରାଯାଇଥିବା ବାଇଗଣ ଚାରା ରୋପଣ କରିଥିଲେ। ଏଥିପାଇଁ ସେ ବ୍ଲକ ପ୍ରଶାସନ ଏବଂ ଜିଲା ପ୍ରଶାସନର ସହାୟତାରେ ରିହାତି ଦରରେ ୨ ହଜାର ବାଇଗଣ ଚାରା ମାତ୍ର ୮ ଟଙ୍କାରେ କିଣିଥିଲେ ଓ ତାକୁ ସେ ଗୋଟିଏ ଏକର ଜମିରେ ରୋପଣ କରିଥିଲେ। ଏଥିପାଇଁ ସେ ମଲଚିଂ, ସାର ଓ ଅନ୍ୟାନ୍ୟ ଖର୍ଚ୍ଚ ପ୍ରାୟ ୬୫ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ଏବେ ସୁଦ୍ଧା ସେ ବାଇଗଣ ପ୍ରାୟ ୫ ହଜାର କେଜି ବିକ୍ରି କରି ମୋଟ ଦେଢ଼ ଲକ୍ଷ ଟଙ୍କା ପାଇଥିବା ବେଳେ ଖର୍ଚ୍ଚ ଯାଇ ୮୫ ହଜାର ଲାଭ କରିଥିବା ସେ କହିଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ଓଡ଼ିଶା ଜୀବିକା ମିଶନର କାର୍ଯ୍ୟକ୍ରମ ଅଧିକାରୀ ପିଣ୍ଟୁ ନାୟକ ଏହି ଚାଷର ତଦାରଖ କରିଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ମୋଟ୍ ୧୦ ହଜାର ଚାରା ବଣ୍ଟନ କରାଯାଇଥିବା ବିଡିଓ ରଥ କହିଛନ୍ତି। ସେ କହିଛନ୍ତି, ୨ ପ୍ରକାର ବାଇଗଣ ଚାରାକୁ କଲମୀ କରାଯାଇଛି। ଯାହାକି ଉନ୍ନତ ଓ ସୁସ୍ବାଦ ବାଇଗଣ ଅମଳ ହୋଇଛି। ତେଣୁ ଏହାର ଚାହିଦା ଅଧିକା ରହିଛି ଓ ପ୍ରତିଦିନ ସେ ପ୍ରାୟ ୨ କ୍ୱିଣ୍ଟାଲ ପର୍ଯ୍ୟନ୍ତ ବାଇଗଣ ବିକ୍ରି କରୁଥିବା କୁହାଯାଇଛି।