ଦିଗପହଣ୍ଡି,୨୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ନିୟନ୍ତ୍ରିତ ବଜାର କମିଟି କପାମଣ୍ଡି କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟରାସ୍ତା କଡରୁ ଗୁରୁବାର ଏକ ୧୩ ଫୁଟିଆ ମୃତ ଅଜଗରକୁ ଫରେଷ୍ଟର ସନ୍ତୋଷ ବିଷୋୟୀରତ୍ନ ଜବତ କରିଛନ୍ତି। ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର କପାମଣ୍ଡି ନିକଟ ମୁଖ୍ୟରାସ୍ତାରେ ଅଜଗରଟି ରାସ୍ତାପାର୍ ହେଉଥିବା ବେଳେ କୌଣସି ଗାଡ଼ି ମାଡିଯିବାରୁ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଛି। ଗାଡ଼ି ଚାଳକ ସାପଟିକୁ ରାସ୍ତାକଡକୁ ଫୋପାଡି ଦେଇ ଚାଲିଯାଇଥିଲେ। ରାସ୍ତାରେ ଯିବା ଆସିବା କରୁଥିବା କିଛି ବ୍ୟକ୍ତି ବିରାଟକାୟ ସାପଟିକୁ ଦେଖି ଦିଗପହଣ୍ଡି ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ସ୍ନେକ ହେଲ୍ପ ଲାଇନ ସଦସ୍ୟ କାଳୁ ନାହାକଙ୍କ ଉପସ୍ଥିତିରେ ମୃତ ମାଈ ପ୍ରଜାତିର ସାପଟିକୁ ଉଦ୍ଧାର କରି ମାମଲା ରୁଜୁ କରାଯିବା ସହ ଦିଗପହଣ୍ଡି ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଛି। ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା. ମଧୁସ୍ମିତା ପଣ୍ଡା, ଡ଼ା. ସଂଗ୍ରାମ ସାହୁ, ଡ଼ା.ସୌମ୍ୟ ରଞ୍ଜନ ସାହୁଙ୍କ ନେତୃତ୍ୱରେ ମୃତ ସାପଟିକୁ ବ୍ୟବଚ୍ଛେଦ କରାଇବା ପରେ ନିକଟସ୍ଥ ଚାଙ୍ଗୁଡ଼ିଦେଇ ଜଙ୍ଗଲରେ ପୋତି ଦିଆଯାଇଥିବା ଜଣାପଡିଛି। ମୃତ ସାପଟିର ଗୋଲେଇ ୧୬ ସେଣ୍ଟି ମିଟର, ବୟସ ପ୍ରାୟ ୩ ବର୍ଷ ଏବଂ ମାଈ ପ୍ରଜାତିର ବୋଲି ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ କହିଛନ୍ତି। ରାସ୍ତାରେ ଚଳାଚଳ କରୁଥିବା ଗାଡ଼ିମଟର ଚାଳକମାନେ ରାସ୍ତାପାର୍ ହେଉଥିବା ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ସତର୍କ ଦୃଷ୍ଟି ଦେବା ଆବଶ୍ୟକ। ଯଦି କୌଣସି ଗାଡ଼ି ଚାଳକ ଉଦ୍ଦେଶ୍ୟମୂଳକ ଭାବେ ଗାଡ଼ି ଧକ୍କା ଦେବେ ତା’ ହେଲେ ସେମାନଙ୍କ ବିରୋଧରେ ବନବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫରେଷ୍ଟର କହିଛନ୍ତି।
Dharitri – The Largest & Most Trusted Odia Daily

