ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ବିଳମ୍ବିତ ରାତିରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ ପଛ ପଟୁ ବାଲେଶ୍ୱରରୁ ସୋର ଅଭିମୁଖେ ଆସୁଥିବା ଏକ ଟ୍ରକ୍‌ ପଛପଟରୁ ଧକା ଦେଇଥିଲା। ଫଳରେ ଟ୍ରକ୍‌ରେ ଥିବା ୩ ଜଣ ଚାପି ହୋଇ ରହିଥିଲେ। ଖବର ପାଇ ସୋର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍‌କଟରରେ ଟ୍ରକ୍‌କୁ କାଟି ସମସ୍ତଙ୍କୁ ଉଦ୍ଧାର କରି ଜାତୀୟ ରାଜପଥ ଆମ୍ବୁଲାନ୍ସରେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହିତ ସୋର ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରଖିଛି। ଘଟଣାର ତଦନ୍ତ ଆରମ୍ଭ କରିଛି।

Dharitri – Odisha’s No.1 Odia Daily