ବିବାହ କାର୍ଡ ବାଣ୍ଟିବାକୁ ଯାଇଥିଲେ ଯୁବକ, ଚାପିଦେଲା ଟ୍ରକ୍‌

ସଇଁନ୍ତଳା,୨୭ା୩(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଲା ଥାନା ନିକଟରେ ଏକ ଟ୍ରକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ହେଉଛନ୍ତି ଜ୍ଞାନ ରଞ୍ଜନ ବେହେରା।

ପୋଲିସ ସୂଚନାନୁସାରେ ଗୁରୁବାର ପୂର୍ବାହ୍ନରେ ବଲାଙ୍ଗୀର ପଟରୁ ଏକ ଟ୍ରକ୍‌ ନଂ. ଏନ୍‌ଏଲ୍‌-୦୧-ଏନ୍‌-୨୦୨୮ ଦ୍ରୁତଗତିରେ ଭବାନୀପାଟଣା ପଟକୁ ଯାଉଥିବାବେଳେ ସଇଁତଳା ଥାନା ନିକଟରେ ଜ୍ଞାନରଞ୍ଜନଙ୍କୁ ଧକ୍କା ଦେଇ ଜ୍ଞାନଙ୍କ ସହ ତାଙ୍କ ବାଇକ୍‌କୁ ମଧ୍ୟ କିଛି ଦୂର ଘୋଷାଡ଼ି ନେଇଥିଲା। ତୁରନ୍ତ ଜ୍ଞାନଙ୍କୁ ସଇଁତଳା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିବାବେଳେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜ୍ଞାନଙ୍କ ସହ ଅନ୍ୟ ଜଣେ ଯୁବକ ବାଇକରେ ବସିଥିବାବେଳେ ସେ ବାଇକ୍‌ରୁ ଛିଟିକି ଯାଇ ସାମାନ୍ୟ ଆହତ ହୋଇଥିଲେ। ଜ୍ଞାନ ସଇଁତଳା ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରକୁ ବିବାହ କାର୍ଡ ଦେବାକୁ ଆସି ରୁପ୍ରାକୁ କାର୍ଡ ଦେବା ପାଇଁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। ପୋଲିସ ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭରଙ୍କୁ ଗିରଫ କରିଛି।

Share