କପିଳାସ ଅଭୟାରଣ୍ୟରୁ ବନ୍ୟଜନ୍ତୁ ଶିକାର: ଶିକ୍ଷକଙ୍କୁ ବାନ୍ଧିଲା ବନବିଭାଗ

ଢେଙ୍କାନାଳ ଅଫିସ, ୭।୧୨: ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟ ଓ କଙ୍କଡ଼ାହାଡ ଥାନା କଳସପୁର ଅଞ୍ଚଳ ବନବିଭାଗ ପକ୍ଷରୁ ରବିବାର ବିଳମ୍ବିତ ରାତିରେ ଚଢ଼ାଉ କରାଯାଇଥିଲା। ଚଢ଼ାଉବେଳେ ୨ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବା ବେଳେ ୧ ହରିଣ ଛାଲ, ୧ ହାତୀ ଦାନ୍ତ, ୧ ହରିଣ ସିଂଘ, ୧ ବାର୍‌ହା ମୁଣ୍ଡ, ୨ କଇଁଛ ଖୋଳପା, ୧ ଧନୁ ଓ ତୀର ୫, ଭାଲୁ ନଖ ୯, ବାଘ ଦାନ୍ତ ୮ ଓ ଖପୁର ୧, ୨ ଫାର୍ସା ଜବତ ହୋଇଛି। ଏହି ଘଟଣାରେ ବନବିଭାଗ ପକ୍ଷରୁ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ କଙ୍କଡ଼ାହାଡ଼ ଥାନା କଳଶପୁର ଗ୍ରାମର ଅନନ୍ତ ମୁର୍ମୁ(୬୦), ଲକ୍ଷ୍ମଣ ମୁର୍ମୁ (୫୫), ଗଅନ୍ଦିଆ ଥାନା ଜାମୁନାଳିଆ ଗ୍ରାମର ନରେନ୍ଦ୍ର କୁୁମାର ବିଘି (୪୦)। ଗିରଫଙ୍କ ମଧ୍ୟରେ ନରେନ୍ଦ୍ର କଟକ ଜିଲା ଟାଙ୍ଗି ବ୍ଲକ ସାଳଗାଁ ଉଚ୍ଚ ପ୍ରାଥମିକ ସ୍କୁଲରେ ଶିକ୍ଷକ ଥିବା ବନବିଭାଗ ପକ୍ଷରୁ ଜଣାପଡ଼ିଛି। କୌଣସି ସୂତ୍ରରୁ ଖବର ପାଇବା ପରେ ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶ ଚାନ୍ଦ ଗୋଗିନେନିଙ୍କ ନିର୍ଦ୍ଦେଶରେ ସହକାରୀ ବନ ସଂରକ୍ଷକ ରଶ୍ମିରଞ୍ଜନ ସ୍ବାଇଁ ଓ କପିଳାଶ ରେଞ୍ଜର ଗୌତମ ପ୍ରଧାନ ବନ କର୍ମଚାରୀଙ୍କ ସହ ଏହି ଚଢ଼ାଉ କରିଥିଲେ।