ଭୁବନେଶ୍ୱର,୧୭।୩(ରବିନାରାୟଣ ଜେନା): ରାଜ୍ୟ ସଭା ନିର୍ବାଚନର ଭୋଟ ଗ୍ରହଣ ବେଳେ ସୋମବାର ଅପରାହ୍ନରେ ବିଧାନସଭାରେ ଏକ ଅଭାବନୀୟ ଦୃଶ୍ୟ ପରିଲକ୍ଷିତ ହୋଇଛି। କେହି କିଛି ବୁଝିବା ପୂର୍ବରୁ ମନ୍ତ୍ରୀ, ବିଧାୟକମାନଙ୍କ ଗୋଡ଼ାପଳା ଦୃଶ୍ୟ ସାଙ୍ଗକୁ ମାରଧର ଏବଂ ଠେଲାପେଲା ଉପସ୍ଥିତ ସୁରକ୍ଷାକର୍ମୀ ଏବଂ ସଦସ୍ୟଙ୍କ ମଧ୍ୟରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି କରିଛି। ପରିସ୍ଥିତି ଏପରି ହୋଇଥିଲା ଯେ ବିଜେଡିର ଜଣେ ବାହାର ସମର୍ଥକଙ୍କ ଶାର୍ଟକୁ ଭାଜପା ସଦସ୍ୟ ଚିରି ଠେଲାପେଲା କରିଥିଲେ। ଅନ୍ୟପକ୍ଷରେ ବିଜେଡିର କେତେକ ସଦସ୍ୟ ଭାଜପା ସଦସ୍ୟଙ୍କୁ ଠେଲାପେଲା କରିଥିବା ଦେଖାଯାଇଥିଲା।
ସକାଳ ୯ଟାରେ ଭୋଟିଂ ଆରମ୍ଭ ହେବା ପରେ ମତଦାନ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିଲା। ଅପରାହ୍ନ ପ୍ରାୟ ୨ଟାବେଳକୁ ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଜୟଦେବ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ନବ କିଶୋର ମଲ୍ଲିକ ଜଣେ ବାହାର ଲୋକଙ୍କ ସହ ଭୋଟଦେବାକୁ ମତଦାନ କେନ୍ଦ୍ର(୫୪ ନମ୍ବର ପ୍ରକୋଷ୍ଠ) ଭିତରକୁ ପଶିବା ନେଇ ବିଜେଡି ବିଧାୟକ ଓ ଅନ୍ୟ ସଦସ୍ୟ(ତନ୍ମୟ ସ୍ବାଇଁ) ବିରୋଧ କରିଥିଲେ। ଏହି ସମୟରେ ନବଙ୍କୁ ଭାଜପା ବିଧାୟକମାନେ ଭୋଟଦାନ କକ୍ଷକୁ ଟାଣି ନେବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ପ୍ରଥମେ ବିଜେଡି ଓ ଭାଜପା ବିଧାୟକଙ୍କ ମଧ୍ୟରେ କଥା କଟାକଟି ଓ ପରେ ଠେଲାପେଲା ହୋଇଥିଲା। ନବ ମଲ୍ଲିକଙ୍କୁ ନେଇ ଦୁଇ ଦଳର ବିଧାୟକମାନଙ୍କ ମଧ୍ୟରେ ଏକପ୍ରକାର ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା।
ବିଜେଡି ବିଧାୟକ ତୁଷାରକାନ୍ତି ବେହେରା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଜଣେ ଅଜଣା ବ୍ୟକ୍ତି ନବଙ୍କୁ ଧରି ମତଦାନ କେନ୍ଦ୍ରକୁ ଆସିଥିଲେ। ଏହି ସମୟରେ ସେ ଭୋଟଦେବାକୁ ଲାଇନ୍ରେ ଛିଡ଼ା ହୋଇଥିବା ବେଳେ ତାଙ୍କ ହାତକୁ ଧରି ଭାଜପା ସଦସ୍ୟମାନେ ଟାଣିଥିଲେ। ଆମେ ତାଙ୍କୁ ଟଙ୍କା ଦେଇଛୁ, ତେଣୁ ଭୋଟଦେବା ଲାଗି ସେମାନେ ଚାପ ପକାଇଥିଲେ। ଏହାକୁ ନେଇ ବିଜେଡି ଓ ଭାଜପା ସଦସ୍ୟଙ୍କ ମଧ୍ୟରେ କଥା କଟାକଟି ପର୍ଯ୍ୟନ୍ତ ଯାଇଥିଲା। ଏହା ଗଣତନ୍ତ୍ରର ହତ୍ୟା ବୋଲି ତୁଷାରକାନ୍ତି କହିଛନ୍ତି। ଏତେ ସୁରକ୍ଷା ବଳୟ ଭିତରେ ବିଧାନସଭା ପରିସରକୁ ଜଣେ ଅଜଣା ବ୍ୟକ୍ତି କିଭଳି ପଶିଲେ ଏବଂ ଘୋଡ଼ା ବେପାର କଥା କହି ସେ ଅସନ୍ତୋଷ ଝାଡ଼ିଥିଲେ। ଅନ୍ୟପକ୍ଷରେ ଭାଜପା ସଦସ୍ୟ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ କହିଥିଲେ, ଆମେ ନବଙ୍କୁ କେବଳ ସୁରକ୍ଷା ଦେଇଛୁ। ବିଜେଡି ସଦସ୍ୟମାନେ ବରଂ ତାଙ୍କୁ ଧମକ ଚମକ ଦେଉଥିଲେ।