୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବ୍ରହ୍ମପୁର ସଦର ଥାନା ବାଇଗଣବାଡ଼ି ଗାଁର ଅମର ଦାସ(୨୬)। ରବିବାର ସକାଳେ ଦିଗପହଣ୍ଡି ଥାନା ମାମଲା ନଂ.୪୭୬/୨୫ ଅନୁଯାୟୀ ତଦନ୍ତକାରୀ ଅଧିକାରୀ ଏଏସଆଇ କହ୍ନେଇ ମିର୍ଦ୍ଧା ବ୍ରହ୍ମପୁର ବଡ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି।

ଶନିବାର ସନ୍ଧ୍ୟାରେ ଅମର ତାଙ୍କ ଶ୍ଵଶୁର ଘର କେ.ନୂଆଗାଁ ଥାନା ଚାନ୍ଦପୁର ଗ୍ରାମରୁ  ସମ୍ପର୍କୀୟ ପ୍ରଶାନ୍ତ ଦାସ(୩୭)ଙ୍କ ସହ ହିରୋ ଗ୍ଲେମର ବାଇକ୍ ନଂ(ଓଡି୦୭ଭି ୬୨୪୪) ଯୋଗେ ଗାଁକୁ ଫେରୁଥିବା ବେଳେ ଏକ ଗାଡ଼ି ତାଙ୍କ ବାଇକକୁ ଧକ୍କା ଦେଇ ଦୃତଗତିରେ ଚମ୍ପଟ ମାରିଥିଲା। ରାସ୍ତାକଡରେ ଛିଟକି ପଡ଼ିଥିବା ଆହତଦ୍ବୟଙ୍କୁ ସ୍ଥାନୀୟ କିଛି ବ୍ୟକ୍ତି ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଉଭୟଙ୍କ ଅବସ୍ଥା ଗୁରୁତର ରହିଥିବା ଯୋଗୁଁ ପ୍ରାଥମିକ ଚିକିତ୍ସା ପରେ ଦୁହିଁଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅମରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ରବିବାର ଅମରଙ୍କ ଭାଇ କାଳୁ ଦାସ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।