ରାୟଗଡ଼ା,୪ା୬(ଆଶିଷ ରଞ୍ଜନ ପଣ୍ଡା): ଗଛରୁ ଝୁଲନ୍ତା ଅବସ୍ଥାରେ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ରାୟଗଡ଼ା ଜିଲା ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ ପାଇକକୁପାଖାଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ଅଣ୍ଡିରାକଞ୍ଚ ଥାନା ପୋଲିସ ଦୁଇ ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଦେଢ଼ ମାସ ତଳେ ଉଭୟେ ପ୍ରେମ ବିବାହ କରିଥିଲେ। ମୃତକ ହେଲେ ଅଭି ଝୋଡ଼ିଆ ଓ ସ୍ତ୍ରୀ ଅମିତା ଝୋଡ଼ିଆ, ପୋଲିସର ତଦନ୍ତ ଜାରି।
ଘଟଣାରୁ ପ୍ରକାଶ ଯେ, ଗତ ଦେଢ଼ ମାସ ତଳେ ଉକ୍ତ ଗ୍ରାମର କାମଦେବ ଝୋଡିଆଙ୍କ ପୁଅ ଅଭି ଝୋଡ଼ିଆ ଓ ଶୁଆଧର ଝୋଡ଼ିଆଙ୍କ ଝିଅ ଅମିତା ଝୋଡ଼ିଆ ଉଭୟ ପରିବାରର ସହମତିରେ ପ୍ରେମ ବିବାହ କରିଥିଲେ। ତେବେ କେଉଁ କାରଣ ଯୋଗୁ ଉଭୟଙ୍କୁ ଆଜି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି ତାହା ଜଣାପଡ଼ିନାହିଁ। ତେବେ ମୃତ୍ୟୁ ପଛରେ କେହି ଦାୟୀ ନୁହନ୍ତି ବୋଲି ଉଭୟଙ୍କ ପରିବାର ପୋଲିସକୁ ଲିଖିତ ଆକାରରେ ଅବଗତ କରାଇଛନ୍ତି। ତେବେ ପୂର୍ବରୁ ହିଁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଥିବ। ତେଣୁ ସେମାନେ ଆତ୍ମହତ୍ୟା କରିଥିବା ନେଇ ପୋଲିସ ଆଶଙ୍କା କରୁଛି।