ମିଠା ପ୍ରସ୍ତୁତ ମେଶିନରେ ପଶିଗଲା ନାବାଳକଙ୍କ ହାତ, ଆଉ ତା’ ପରେ…

ଦିଗପହଣ୍ଡି,୯ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରେଡ୍ଡୀ ସାହିରେ ରବିବାର ରାତିରେ ଏକ ଅଘଟଣ ଘଟିଛି। ରେଡ୍ଡୀ ସାହିରେ ଥିବା ସିଙ୍ଗପୁର ଗ୍ରାମର ମନୁ ସାହୁଙ୍କ ମା’ତାରାତାରିଣୀ ମିଠା ଦୋକାନରେ ମିଠା ପ୍ରସ୍ତୁତ ନିମନ୍ତେ ମେଶିନ ଦ୍ବାରା ଅଟା ମିଶ୍ରଣ ସମୟରେ ଅସାବଧାନତା କାରଣରୁ ସେଠାରେ କାମକରୁଥିବା କାଳିଆ ସାହୁଙ୍କ ପୁଅ ତଥା ମିଠା ଦୋକାନୀ ମନୁଙ୍କ ଭଣଜା ଷଷ୍ଠ ଶ୍ରେଣୀ ଛାତ୍ର ସାହିଲ ସାହୁ(୧୨)ଙ୍କ ଡାହାଣ ହାତ ମେଶିନରେ ପଶି ଯାଇଥିଲା। ସମସ୍ତ ଚେଷ୍ଟା ସତ୍ତ୍ୱେ ହାତ ଆଉ ବାହାରକୁ ବାହାରି ନ ଥିଲା। ସାହିଲ ବାରମ୍ବାର ଚେତାଶୂନ୍ୟ ହୋଇପଡ଼ିଥିଲେ। ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହନୀ ଘଟଣାସ୍ଥଳରେ ପହଞ୍ଚି କଟର ମେଶିନ ସହାୟତାରେ ମିଠା ମେଶିନର କିଛି ଯନ୍ତ୍ରାଂଶକୁ କାଟିବା ପରେ ତାଙ୍କ ହାତଟି ବାହାରିଥିଲା। ସାହିଲଙ୍କ ୩ ଟି ଅଙ୍ଗୁଳି କଟି ଯିବା ସହ ପାପୁଲିରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରସ୍‌ରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ପରିବାର ଲୋକେ ଜଣାଇଛନ୍ତି।

Dharitri –Odisha’s No.1 Trusted Odia Daily

Share