ଫୁଲବାଣୀ/କୋଟଗଡ, ୮ା୧୧(ରାକେଶ କୁମାର ରାଉତ/ସରୋଜ ବଳିୟାରସିଂ): କନ୍ଧମାଳ ଜିଲା କୋଟଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଚାକିରି ପ୍ରଲୋଭନ ଦେଖାଇ ମଧ୍ୟପ୍ରଦେଶରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଚାଲାଣକାରୀ ସମ୍ପୃକ୍ତା ନାବାଳିକାଙ୍କୁ ବଳାତ୍କାର ମଧ୍ୟ କରିଛନ୍ତି। ଘଟଣାର ଦୁଇ ମାସ ପରେ କୋଟଗଡ ପୋଲିସ ନାବାଳିକାଙ୍କୁ ମଧ୍ୟପ୍ରଦେଶରୁ ଉଦ୍ଧାର କରିଛି। ଏଥିରେ ସାମିଲ ଜଣେ ଦଲାଲଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ରାୟଗଡା ଜିଲା ଚନ୍ଦ୍ରପୁର ଅଞ୍ଚଳର ଚାଲାଣକାରୀ ଶଶୀଭୂଷଣ ପାଣି, ମଧ୍ୟପ୍ରଦେଶର ଦୁଇଭାଇ ସନ୍ଦୀପ ଓ ମହେଶ ପଟେଲ। ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ମଧ୍ୟସ୍ଥ ଫେରାର ଅଛନ୍ତି। ନଂ. ୧୪୫/୨୫ରେ ଏକ ମାମଲା ରୁଜୁ ହୋଇଥିବା କୋଟଗଡ ଥାନାଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି। ମିଳିଥିବା ଖବରରୁ ଜଣାପଡିଛି, ଶଶୀଭୂଷଣ କିଛି ମାସ ତଳେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡାରେ ରହୁଥିଲେ। ଏହି ସମୟରେ କୋଟଗଡ ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରକୁ ଯାଇ ତାଙ୍କ ସହ ସମ୍ପର୍କ ବଢ଼ାଇଥିଲେ। ଶଶୀଭୂଷଣ ତାଙ୍କ ୧୪ ବର୍ଷର ନାବାଳିକା ଝିଅକୁ ମାସକୁ ୧୮ ହଜାର ଟଙ୍କା ଦରମାରେ ଚାକିରି କରାଇ ଦେବାକୁ କହି ବିଶ୍ୱାସ ଜମାଇଥିଲେ। ରୋଜଗାର କଲେ ଘର ଭଲରେ ଚଳିବ ଭାବି ବାପା ତାଙ୍କ ନାବାଳିକା ଝିଅକୁ ଶଶୀଭୂଷଣଙ୍କ ସହ ପଠାଇଥିଲେ। ଶଶୀ ଭୂଷଣ ଅନ୍ୟ ଜଣେ ମଧ୍ୟସ୍ଥଙ୍କ ଜରିଆରେ ମଧ୍ୟପ୍ରଦେଶରେ ପହଞ୍ଚତ୍ଥିଲେ। ସେଠାରେ ସେ ନାବାଳିକାଙ୍କୁ ବିକ୍ରି କରିବା ନେଇ ପୂର୍ବରୁ କଥାବାର୍ତ୍ତା ସାରିଥିଲେ। ମଧ୍ୟପ୍ରଦେଶର ଦୁଇ ଭାଇ ସନ୍ଦୀପ ଏବଂ ମହେଶ ଶଶୀଭୂଷଣଙ୍କୁ ୭୦ ହଜାର ଟଙ୍କା ଦେଇ ନାବାଳିକାଙ୍କୁ ଘରକୁ ନେଇ ଯାଇଥିଲେ ା ଶଶୀଭୂଷଣ ଟଙ୍କା ପାଇ ସେଠାରୁ ପଳାଇ ଆସିଥିଲେ। ଇତି ମଧ୍ୟରେ ଦୁଇ ମାସ ବିତି ଯାଇଥିଲେ ହେଁ ଝିଅ ବିଷୟରେ କୌଣସି ଖବର ପରିବାର ଲୋକେ ପାଇ ନ ଥିଲେ ା କିଛି ଦିନ ପରେ ନାବାଳିକା ଜଣକ କୌଣସି ପ୍ରକାରେ ଘଟଣା ବିଷୟରେ ପରିବାର ଲୋକଙ୍କୁ ଖବର ଦେଇଥିଲେ ା ପରିବାର ଲୋକେ ଏନେଇ ଗତ ଅକ୍ଟୋବର ୨୧ ତାରିଖରେ କୋଟଗଡ଼ ଥାନାରେ ଏତଲା ଦେଇଥିଲେ। ଏହାକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପ୍ରଥମେ ପୋଲିସ ତୁମୁଡିବନ୍ଧ ବ୍ଲକ ମାଲିପଡା ଗ୍ରାମରୁ ଦଲାଲ ଶଶୀଭୂଷଣଙ୍କୁ ନେଇ ପଚରାଉଚରା କରିବା ପରେ ସେ ସବୁ କହିଥିଲେ। ପରେ ପୋଲିସ ଏକ ଟିମ ଗଠନ କରି ମଧ୍ୟପ୍ରଦେଶରେ ପହଞ୍ଚତ୍ ସେଠାକାର ପୋଲିସ ସହାୟତାରେ ସାଗର ଗାଁରୁ ନାବାଳିକାଙ୍କୁ ଗତ ୩ ତାରିଖରେ ଉଦ୍ଧାର କରିଥିଲା। ଏଥିସହ ତାଙ୍କୁ କିଣିଥିବା ଦୁଇ ଭାଇ ସନ୍ଦୀପ ଏବଂ ମହେଶଙ୍କୁ ଗିରଫ କରିଥିଲା।
ଆମ ପାଖରେ ଏତଲା ହେବା ପରେ ଆମେ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଥିଲୁ। ଆମ ସ୍ବତନ୍ତ୍ର ଟିମ ସେଠାରେ ପହଞ୍ଚତ୍ ନାବାଳିକାଙ୍କୁ ଉଦ୍ଧାର କଲା ବେଳେ ତାଙ୍କୁ ଘରୋଇ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଜାଣିବାକୁ ପାଇଥିଲୁ। ବାଟରେ ଚାଲାଣକାରୀ ଶଶୀଭୂଷଣ ସମ୍ପୃକ୍ତା ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛୁ।
ଅନ୍ୟ ଜଣେ ମଧ୍ୟସ୍ଥ ଫେରାର ଅଛନ୍ତି। ଡାକ୍ତରୀମାଇନା ପରେ ନାବାଳିକାଙ୍କୁ ତାଙ୍କ ଘରକୁ ପଠା ଯାଇଛି। ଏ ନେଇ ଥାନାରେ ୧୪୫/୨୫ରେ ମାମଲା ରୁଜୁ ହୋଇଛି ବୋଲି କୋଟଗଡ ଥାନାଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି।