ପ୍ରବାସୀ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ନ ରହି ଫାଷ୍ଟଫୁଡ୍‌ ବିକିଲେ

ସାଲେପୁର,୧୫।୭(ଡି.ଏନ୍‌.ଏ.): ସାଲେପୁର ବ୍ଲକ ମିର୍ଜାପୁର ପଞ୍ଚାୟତର ଜଣେ ପ୍ରବାସୀ ହୋମ୍‌ କ୍ୱାରାଣ୍ଟାଇନ୍‌ ନିୟମ ନ ମାନି ଫାଷ୍ଟଫୁଡ୍‌ ବିକୁଥିଲେ। ରିପୋର୍ଟ ପଜିଟିଭ ଆସିବା ପରେ ଉକ୍ତ ପଞ୍ଚାୟତକୁ ସରପଞ୍ଚ ହରପ୍ରସନ୍ନ ବେହେରା ୪୮ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହା ମଙ୍ଗଳବାରଠାରୁ କାର୍ଯ୍ୟକାରୀ ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ଲାଗୁ ହେବ ବୋଲି ସେ କହିଛନ୍ତି।
ସମ୍ପୃକ୍ତ ପ୍ରବାସୀ ହାଇଦ୍ରାବାଦରୁ ଫେରି ବ୍ଲକ ଅନ୍ତର୍ଗତ ଚନ୍ଦ୍ରାଦେଇପୁର ପଞ୍ଚାୟତର ମଧୁସୂଦନ ମଣ୍ଡପରେ ହୋଇଥିବା କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ଥିଲେ। ୭ ଦିନ ସେଠାରେ ରହିବା ପରେ ତାଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ କୁହାଯାଇଥିଲା। ଏଥିସହ ଜୁଲାଇ ୭ରେ ତାଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିଲା। ମାତ୍ର ସେ ହୋମ୍‌ କ୍ୱାରାଣ୍ଟାଇନ୍‌ ନିୟମ ନ ମାନି ଏଣେତେଣେ ବୁଲିବା ସହ ଗଙ୍ଗେଶ୍ୱର ବଜାରରେ ସାନଭାଇ କରିଥିବା ଦୋକାନରେ ଫାଷ୍ଟଫୁଡ୍‌ ବିକ୍ରି କରୁଥିଲେ। ୮ ତାରିଖରେ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି। ସମ୍ପୃକ୍ତ ପ୍ରବାସୀଙ୍କୁ ଭୁବନେଶ୍ୱରସ୍ଥିତ ସମ୍‌ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ୩୦ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ବୁଧବାର ସେମାନଙ୍କ ସ୍ବାବ୍‌ ସଂଗ୍ରହ କରାଯିବ ବୋଲି ସରପଞ୍ଚ ବେହେରା କହିଛନ୍ତି।