ଭଞ୍ଜନଗର,୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଚୋରି, ଗଣ୍ଡଗୋଳ ବଢୁଥିବା ବେଳେ ସୋମବାର ଭଞ୍ଜନଗର ପୋଲିସକୁ ଏକ ବଡ ସଫଳତା ମିଳିଛି। ଗତ ୨୫ ତାରିଖ ରାତିରେ କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ହୋଇଥିବା ଚୋରି ଘଟଣାରେ ପୋଲିସ ସୋମବାର ୪ ଜଣକୁ ଗିରଫ କରିଛି। ଏଥିସହ ଅଧିକାଂଶ ଚୋରି ଅଳଙ୍କାରକୁ ମଧ୍ୟ ପୋଲିସ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ ସାରେ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଛି ବୋଲି ଭଞ୍ଜନଗର ଏସଡିପି ଓ ସୁଜିତ୍ କୁମାର ନାୟକ ଏକ ଖବରଦାତା ସମ୍ମିଳନୀରେ ତାହା ପ୍ରକାଶ କରିଛନ୍ତି।
ଏହି ସମୟରେ ଥାନା ଅଧିକାରୀ ଜିବନାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଘଟଣାରେ ଆଉ ୪ ଜଣ ଜଡ଼ିତ ଥିବା ଜଣାପଡିଛି । ପୋଲିସ ସେମାନଙ୍କୁ ଗିରଫ ପାଇଁ ଚେଷ୍ଟା ଚଳାଇଛି । ଗିରଫ ସମସ୍ତ ଅଭିଯୁକ୍ତ କୁଲାଡ ଅଞ୍ଚଳର।
ଘଟଣାରୁ ପ୍ରକାଶ ଯେ, ଦୃର୍ବୁତ୍ତମାନେ କଳାମୁଖା ପିନ୍ଧି ଘଟଣା ଦିନ ମନ୍ଦିର ଭିତରେ ପଶି ଦେବୀଙ୍କ ୩୫ ଟି ରୂପା ଆଖି, ୩ ଟି ସୁନା ଚିତା, ୨ ଟି ରୂପା ଭୁଲର୍ତା ଚୋରି କରି ନେଇଥିଲେ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ। ଏନେଇ ମନ୍ଦିର କର୍ମକର୍ତ୍ତା ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତ ମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। କୁଲାଡ ବ୍ୟାଘ୍ର ଦେବୀ ମନ୍ଦିର ହେଉଛି ଭଞ୍ଜ ରାଜବଂଶର ଆରାଧ୍ୟ ଦେବୀ।