ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଚାରିଛକରେ ଜଣେ ରକ୍ତାକ୍ତ ବ୍ୟକ୍ତି ଘୂରି ବୁଲୁଥିବା ଜଣାପଡ଼ିଛି। ତାଙ୍କ ଘର ଉକ୍ତ ଥାନା ତେରବାଡ଼ି ଅଞ୍ଚଳର ହୋଇଥିବାବେଳେ ବ୍ୟକ୍ତି ଜଣକ ଧର୍ମେନ୍ଦ୍ର ନାୟକ ବୋଲି ଜଣାପଡ଼ିଛି।
ମିଳିଥିବା ସୂତ୍ର ଅନୁସାରେ, ଉକ୍ତ ଥାନା ସିମନବାଡ଼ି ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ କୌଣସି କାରଣରୁ ଦାଦା ଧର୍ମେନ୍ଦ୍ରଙ୍କ ସହ ପୁତୁରାମାନଙ୍କ ମଧ୍ୟରେ ବଚସା ଓ ପରେ ୨ ଜଣ ପୁତୁରା ଦାଦା ଧର୍ମେନ୍ଦ୍ରଙ୍କୁ ମଦ ବୋତଲ ଭାଙ୍ଗି ଆକ୍ରମଣ କରିଥିଲେ। ଏକାଧିକ ସ୍ଥାନରେ ଦାଦା ଧର୍ମେନ୍ଦ୍ରଙ୍କ ଶରୀରରେ ଗଭୀର ଆଘାତ ଲାଗିଥିବା ଧର୍ମେନ୍ଦ୍ର କହିଛନ୍ତି। ବିଳମ୍ବିତ ରାତି ହୋଇଥିବାରୁ ସେ ସେହିଭଳି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ରହିଥିଲେ। ତେଣୁ କୌଣସି ଚିକିତ୍ସା କରି ନ ଥିଲେ। ଶୁକ୍ରବାର ଭୋର୍ ସମୟରେ ଧର୍ମେନ୍ଦ୍ର ଦାରିଙ୍ଗବାଡ଼ି ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ। ସେଠାରେ ସେ ରକ୍ତାକ୍ତ ଅବସ୍ଥାରେ ବୁଲୁଥିବା ଦେଖି ଲୋମେ ଭୟଭୀତ ହୋଇଯାଇଥିଲେ। ପରେ ଧର୍ମେନ୍ଦ୍ର ଥାନାରେ ପହଞ୍ଚିଥିଲେ ପୋଲିସ ତାଙ୍କୁ ଚିକିତ୍ସା କରିବାକୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ସବ୍ଇନ୍ସପେକ୍ଟର ଜୟନ୍ତ କୁମାର ସେଠୀ କହିଛନ୍ତି। ସେ ଚିକିତ୍ସା ହୋଇ ଫେରିବା ପରେ ମାମଲା ରୁଜୁ ହେବ ବୋଲି ପୋଲିସ କହିଛି।