ଭବାନୀପାଟଣା,୧୩।୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି। କାରଣ ଇସ୍ପାତ ଏକ୍ସପ୍ରେସ ଟ୍ରେନ ଜୁନାଗଡ଼ ରୋଡ ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବା ନେଇଁ ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯାହାକୁ ସ୍ଥାନୀୟ ନେଇଁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ବର୍ତ୍ତମାନ ଇସ୍ପାତ ଟ୍ରେନ ପଶ୍ଚିମବଙ୍ଗ ରାଜ୍ୟ ହାୱଡାରୁ ବାହାରି ବଲାଙ୍ଗୀର ଜିଲା ଟିଟଲାଗଡ଼ ପର୍ଯ୍ୟନ୍ତ ଆସୁଥିଲା। ତେବେ ଏହି ଟ୍ରେନ ସମ୍ପ୍ରସାରଣ ହେବା ପରେ ଏହା ଟିଟଲାଗଡ଼ରୁ କେସିଙ୍ଗା,ଲାଞ୍ଜିଗଡ଼ ରୋଡ଼ ଭବାନୀପାଟଣା ଦେଇ ଜୁନାଗଡ଼ ରୋଡ କୁ ଆସିବ। ଇସ୍ପାତ ଚାଲିବା ପରେ ଜୁନାଗଡ଼ ତଥା କଳାହାଣ୍ଡିବାସୀ ସିଧାସଳଖ କଲିକତା,ସମ୍ବଲପୁର, ରାଉରକେଲା,ଝାରସୁଗୁଡା ଆଦି ସହରକୁ ସୁବିଧାରେ ଯାଇ ପାରିବେ। ଏହି ଟ୍ରେନକୁ ଟିଟଲାଗଡ଼ରୁ ଜୁନାଗଡ଼ ରୋଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ନେଇଁ ପୂର୍ବରୁ କଳାହାଣ୍ଡି ଲୋକସଭା ଏମ୍ପି ମାଳବିକା ଦେବୀ, ରାଜ୍ୟ ସଭା ଏମ୍ପି ସୁଜିତ କୁମାର ସମେତ ସ୍ଥାନୀୟ ଅଞ୍ଚଳବାସୀ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଦାବିପତ୍ର ଦେଇଥିଲେ।