୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ କିରାଣି

ଖଡିଆଳ,୩୦।୧୨(ଡି.ଏନ୍‌.ଏ.)- ଜମି ରେଜିଷ୍ଟ୍ରି କରିବା ନେଇ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନୂଆପଡ଼ା ଜିଲା ଖଡିଆଳ ସବ୍‌ରେଜିଷ୍ଟାର ଅଫିସରେ କାର୍ଯ୍ୟରତ କନିଷ୍ଠ କିରାଣି ସଞ୍ଜୟ କୁମାର ନାୟକ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
ସୂଚନା ଯୋଗ୍ୟ ଖଡିଆଳ ତହସିଲ ଅନ୍ତର୍ଗତ ସୁନାରିସିକୁଆଁ ଗ୍ରାମର ପରମେଶ୍ୱର ବାରିକଙ୍କ ସ୍ତ୍ରୀ ଅଞ୍ଜୁ ବାରିକଙ୍କ ନାମରେ ୩୦ ଡିସିମିଲ ଜମି ରେଜିଷ୍ଟ୍ରି କରିବା ପାଇଁ କିରାଣି ସଞ୍ଜୟ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ପରମେଶ୍ୱର ଭିଜିଲାନ୍ସ ବିଭାଗକୁ ଜଣାଇ ଥିଲେ। ବୁଧବାର ପରମେଶ୍ୱରଙ୍କ ନିକଟରୁ ସଞ୍ଜୟ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାବୁଡରେ ପଡିଯାଇଥିଲେ। ନୂଆପଡ଼ା, ଭବାନୀପାଟଣା ଭିଜିଲାନ୍ସ ବିଭାଗ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା। ଏପରିକି ଭିଜିଲାନ୍ସ ଟିମ୍‌ ସଞ୍ଜୟଙ୍କ ସରକାରୀ ବାସଭବନ, ନୂଆପଡ଼ା ସ୍ଥିତ ବାସଭବନରେ ଚଢ଼ାଉ କରିଥିବା ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦ ସୂଚନା ଦେଇଛନ୍ତି।