ଟ୍ରାକ୍‌ରେ ହଠାତ୍‌ ଧସିଲା ବିରାଟକାୟ ପଥର, ଟ୍ରେନ୍‌ ଚଳାଚଳ ବନ୍ଦ

କୋରାପୁଟ,୨୩ା୧୦(ଅମିତାଭ ବେହେରା): କୋରାପୁଟ କିରଣ୍ଡଳ ରେଳ ଲାଇନର ମାଲିଗୁଡ଼ା ଷ୍ଟେଶନ ନିକଟରେ ପାହାଡ଼ରୁ ପଥର ଧସିଛି। ଗୁରୁବାର ଅପରାହ୍ନରେ ରେଳ ଧାରଣା ଉପରେ
ପଥର ଖଣ୍ଡ ଖସିପଡ଼ିଛି। ରେଳ ପଥରେ ରେଳ ଚଳାଚଳ ବନ୍ଦ ରହିଛି। କୋରାପୁଟ ଜୟପୁର ରେଳ ପଥର ମାଲିଗୁଡ଼ା-ଜରଟି ଷ୍ଟେଶନ ମଧ୍ୟରେ ୨୧୦ କିମି ନିକଟରେ ପାହାଡ଼ରୁ ପଥର ଧସି ରେଳ ଧାରଣା ଉପରେ ପଡ଼ିଛି। ଫଳରେ ଟ୍ରେନ୍‌ ଚଳାଚଳ ନେଇ ସମସ୍ୟା ଦେଖାଦେଇଛ। କୋରାପୁଟ ଷ୍ଟେଶନରୁ ସ୍ବତନ୍ତ୍ର ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳକୁ ଯାଇଛନ୍ତି। ରେଳଧାରଣାରୁ ପଥର ଓ ମାଟି ସଫା କରିବା ପରେ ହିଁ ରେଳ ଚଳାଚଳ କରିବ। କିରଣ୍ଡୁଲ ଅଭିମୁଖେ ଯାଉଥିବା 1VK ପାସେଞ୍ଜେର ଟ୍ରେନ୍‌ ଜରଟି ଷ୍ଟେଶନରେ ଅଟକି ରହିଛି।

ସେହିଭଳି ଜଗଦଲପୁରରୁ କୋରାପୁଟ ଅଭିମୁଖେ ଆସୁଥିବା ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ୍‌ ମାଲିଗୁଡା ଷ୍ଟେଶନରେ ଅଟକି ରହିଛି। ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହେବାରେ ବିଳମ୍ବ ଘଟିବ ବୋଲି ରେଳ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି। ବାରମ୍ବାର ଏହି ସ୍ଥାନରେ ପଥର ଧସୁଥିବାରୁ ରେଳ ଚଳାଚଳରେ ପ୍ରତିବନ୍ଧକ ଘଟୁଛି। ରେଳଯାତ୍ରା ବ୍ୟାହତ ହେଉଛି।

Dharitri – Odisha’s No.1 Odia Daily

Share