ଭୁବନେଶ୍ୱର,୨୪ା୯: ଓଡ଼ିଶାର କୃଷି କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ ହୋଇଛି। ଢେଙ୍କାନାଳର ‘ସପ୍ତଶଯ୍ୟା କୃଷକ ଉତ୍ପାଦକ କମ୍ପାନୀ’ ପ୍ରଥମ ଥର ପାଇଁ ୧୦୦ କିଲୋ ସାରୁ ଓ ୩୨୦ କିଲୋ ସବୁଜ ଅମୃତଭଣ୍ଡା କଲିକତାର ନେତାଜୀ ସୁବାସ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦର ମାଧ୍ୟମରେ ସୁଦୂର ଆୟରଲ୍ୟାଣ୍ଡକୁ ରପ୍ତାନୀ କରି ଐତିହାସିକ ସଫଳତା ହାସଲ କରିଛି।
ଏହି ଉଦ୍ୟମ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନ ଉଦ୍ୟାନ କୃଷି ନିର୍ଦେଶାଳୟର ଦୃଢ଼ ନେତୃତ୍ୱ, ଗେଟ୍ସ ଫାଉଣ୍ଡେସନର ସହାୟତା ଏବଂ ପାଲାଡିୟମର ସମନ୍ୱୟରେ ସମ୍ଭବ ହୋଇଛି। ସପ୍ତଶଯ୍ୟା କୃଷକ ଉତ୍ପାଦକ କମ୍ପାନୀ କ୍ଷୁଦ୍ର ଚାଷୀଙ୍କ ସାମୂହିକ ଶକ୍ତିର ପ୍ରତୀକ ଭାବେ ଉଭା ହୋଇ ବିଶ୍ୱ ବଜାରରେ ଓଡ଼ିଶାର କୃଷିଜାତ ଦ୍ରବ୍ୟର ଚାହିଦା ବୃଦ୍ଧି କରିଛି।
୨୦୨୪ରୁ ଏ ପର୍ଯ୍ୟନ୍ତ ଏହି ସଂଗଠନ ମାଧ୍ୟମରେ ୧୪୦ ମେଟ୍ରିକ ଟନ୍ରୁ ଅଧିକ ସତେଜ ପନିପରିବା ଓ ଫଳ ୧୦ଟି ଅନ୍ତର୍ଜାତୀୟ ବଜାରକୁ ରପ୍ତାନୀ କରାଯାଇଛି। ଏହା ମାଧ୍ୟମରେ ଚାଷୀମାନେ ସେମାନଙ୍କ ଉତ୍ପାଦର ୪୦%ରୁ ୬୨% ବର୍ଦ୍ଧିତ ମୂଲ୍ୟ ପାଇଛନ୍ତି। ଏହି ରପ୍ତାନୀ କେବଳ ଚାଷୀଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରୁନାହିଁ, ବରଂ ଓଡ଼ିଶାର କୃଷି ଅର୍ଥନୀତିକୁ ବିଶ୍ୱସ୍ତରୀୟ ମଞ୍ଚରେ ପହଞ୍ଚାଇଛି।
ଏହି ସଫଳତା ରାଜ୍ୟର ଅନ୍ୟ କୃଷକ ଓ ଉତ୍ପାଦକ ସଂଗଠନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି। କୃଷି ବିଭାଗ ଓ ପାଲାଡିୟମର ମିଳିତ ସହଯୋଗରେ ଆଗାମୀ ଦିନରେ ଆହୁରି ଅଧିକ କୃଷିଜାତ ଦ୍ରବ୍ୟ ବିଶ୍ୱ ବଜାରକୁ ରପ୍ତାନୀ କରି ଓଡ଼ିଶାର ଚାଷୀଙ୍କ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବା ପାଇଁ ଉଦ୍ୟମ ଜାରି ରହିଛି।