ଦିଗପହଣ୍ଡି,୬।୬(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ନାରାୟଣପୁର ଗ୍ରାମର ଅଷ୍ଟମୀ ପ୍ରିୟା ଗୌଡ଼ ନାମ୍ନୀ ଶିଶୁକନ୍ୟା ସାପ କାମୁଡାରେ ମୃତ୍ୟୁବରଣ କରିଛନ୍ତି। ଶୁକ୍ରବାର ସକାଳେ ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍ଆଇ ଜଗବନ୍ଧୁ ବାର୍ଲା ବମକେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶୋକାକୁଳ ପରିବେଶ ମଧ୍ୟରେ ଗାଁରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଗୁରୁବାର ରାତିରେ ଘରେ ଅଷ୍ଟମୀଙ୍କୁ ସାପ କାମୁଡି ଥିଲା। ପରିବାର ଲୋକେ ତାଙ୍କୁ ବମକେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ରାତି ପ୍ରାୟ ୧୨ ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏନେଇ କେ.ନୂଆଗାଁ ଥାନାରେ ଏତଲା ହେବାପରେ ଆଇଆଇସି କିଶୋର କୁମାର ସାମଲ ଥାନା ଅପମୃତ୍ୟୁ ମାମଲା ନଂ.୬/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ। ପରିବାର ଲୋକେ ଦୁଃଖରେ ଭାଙ୍ଗିପଡ଼ିଥିବା ବେଳେ ମା’ଙ୍କ କୋଳରେ ଶୋଇଥିବା ବେଳେ କୁନି ଝିଅକୁ ନାଗ କାମୁଡି ଦେଇଥିବା କହୁଛନ୍ତି।