ବାସ୍ନାମୟ ସ୍ମୃତି

ଦୃଶ୍ୟ, ଚିତ୍ର, ଅନୁଭବ ପରି ବାସ୍ନା ବି ଏକ ସୁମଧୁର ସ୍ମୃତି ହୋଇପାରେ। ତାହା ପାଇଁ ପ୍ରମାଣ ଦେବାର କୌଣସି ଆବଶ୍ୟକତା ନାହିଁ। କାରଣ ଆମେ ସମସ୍ତେ ଏମିତି କିଛି ନା କିଛି ବାସ୍ନାକୁ ଆମ ସ୍ନାୟୁତନ୍ତ୍ରିରେ ସାଇତି ରଖିଥାନ୍ତି ଯାହା, କେବେ ବି ବିସ୍ମୃତି ଗର୍ଭରେ ବିଲୀନ ହୋଇ ନ ପାରେ! ସେହିପରି ଏକ ବାସ୍ନା ଥିଲା ଦାଣ୍ଡଧୂଳିର ବାସ୍ନା। ଯେତେବେଳେ ଗାଁ ଦାଣ୍ଡରେ ସିମେଣ୍ଟ କଂକ୍ରିଟ୍‌ ପଡ଼ି ନ ଥିଲା, ସେତେବେଳେ ଆଦ୍ୟ ଆଷାଢ଼ର ବର୍ଷାବିନ୍ଦୁ ଦାଣ୍ଡଧୂଳିରେ ପଡ଼ି ସୃଷ୍ଟି କରୁଥିଲା ଏକ ମହନୀୟ ବାସ୍ନା। ଆଉ ତାହା ଥିଲା ଅତ୍ୟନ୍ତ ନିଆରା। ଦାଣ୍ଡଧୂଳି ସମ୍ପୂର୍ଣ୍ଣ ଭିଜିଯିବା ଆଗରୁ ବିଛାଡ଼ି ପଡୁଥିବା ସେ ବାସ୍ନା ଏବେ ପ୍ରାୟ ଅତୀତ କହିଲେ ଭୁଲ୍‌ ହେବନାହିଁ। କାରଣ ଗାଁ ଗାଁରେ ପକ୍କାରାସ୍ତା ଅର୍ଥାତ୍‌ ସିମେଣ୍ଟ କଂକ୍ରିଟ୍‌ର ଆସ୍ତରଣ, ଦାଣ୍ଡଧୂଳି ଓ ତା’ର ଭିଜାଭିଜା ବାସ୍ନାକୁ ସ୍ମୃତିଗର୍ଭକୁ ଠେଲିଦେଇଛି। ଏବେ ଆଉ ପୁରୁଣା ବେଳ ଫେରିବା ସମ୍ଭବ ନୁହେଁ, ତେଣୁ ପିଢ଼ି ପରେ ପିଢ଼ି ସେ ବାସ୍ନା କେବଳ ସ୍ମୃତିରେ ହିଁ ରହିଯିବ। ସବୁ ଘର ପକ୍କାଘର, ସମସ୍ତଙ୍କ ପାଇଁ ଘର ଯୋଜନାରେ ଗାଁରୁ ସହର ଚାଳଘର ସବୁ ପକ୍କାଘରର ରୂପ ନେଉଛନ୍ତି। ଆଗରୁ ଗୋବର ଲିପା ଦାଣ୍ଡ ଦୁଆର ହେଉ କି ରଙ୍ଗମାଟିରେ ଘର କାନ୍ଥ ଲିପାପୋଛା ବେଳେ ଏକ ଅଦ୍ଭୁତ ବାସ୍ନା ମନ ଭିତରେ ସୁରକ୍ଷିତ ରହିଯାଉଥିଲା। କିନ୍ତୁ କ୍ରମଶଃ କଂକ୍ରିଟ୍‌ ହେଉଥିବା ଗାଁ ଭିତରୁ ଏଇ ଗୋବର ଲିପା କି ରଙ୍ଗମାଟିର ବ୍ୟବହାର କମିଯାଉଛି। ପରିବର୍ତ୍ତନ ସହ ସେଦିନର ବାସ୍ନା ସତରେ କ’ଣ ଆଉ କେବେ ମିଳିବ? ଆମ ଲୋକସଂସ୍କୃତିରେ ବିବାହର ସ୍ଥାନ ସ୍ବତନ୍ତ୍ର। ହେଲେ ସେହି ବିବାହ କାର୍ଯ୍ୟକ୍ରମର କିଛି ବିଧି ବ୍ୟବସ୍ଥାରେ ବ୍ୟତିକ୍ରମ ଦେଖାଗଲାଣି। ଜାମୁଡାଳ ଛାମୁଣ୍ଡିଆ ଦେଖିବାକୁ ମିଳୁନାହିଁ ତା’ ସ୍ଥାନ ଟେଣ୍ଟ ହାଉସ୍‌ ନେଇସାରିଲାଣି। ତେଣୁ ଜାମୁଡାଳର ବାସ୍ନା ଆଜି ପବିତ୍ର ଦିନ ମାନଙ୍କରୁ ନିଖୋଜ ହୋଇଗଲାଣି।
ଧାନରୁ ଉଷୁନା ଚାଉଳ ପାଇବା ପାଇଁ କରାଯାଉଥିବା ପ୍ରକ୍ରିୟା ଭିତରେ ଚାଷୀ ଓ ତା’ପରିବାର ବିଭୋର ହେଉଥାଏ। ହେଲେ ଧୀରେ ଧୀରେ ସେମାନେ ସେହି ସ୍ବତନ୍ତ୍ର ବାସ୍ନାରୁ ଦୂରେଇବାରେ ଲାଗିଛନ୍ତିି। କାରଣ ସମସ୍ତଙ୍କ ଭିତରେ ଏବେ ଆଳସ୍ୟପଣର ତରଙ୍ଗ। ସରକାରଙ୍କ ତରଫରୁ ଆର୍ଥିକ ଅନଗ୍ରସର ବର୍ଗକୁ ମାଗଣାରେ ଚାଉଳ ମିଳୁଛି, ପୁଣି ବଜାରରେ ସଫା ସରୁ ବିଭିନ୍ନ ପ୍ରକାର ଚାଉଳ ସହଜ ଉପଲବ୍ଧ। ନା ସେଥିରେ ଗୋଡ଼ି ମାଟି ରହୁଛି ନା ରହୁଛି ଧାନ ଉଷୁମେଇବା, ପେଷେଇବା ପରି ଝିନ୍‌ଝଟ୍‌। ତେଣୁ ଚାଷୀ ଓ ତା’ପରିବାର ଧାନ ସିଝେଇବାର ବାସ୍ନା ନିକଟରୁ କ୍ରମଶଃ ଦୂରେଇବାରେ ଲାଗିଛି।
ଚାଷୀ ତା’ ଜମିରେ ସୁନାପାଣି, କଳାଚମ୍ପା, ନାଲି ରତ୍ନ ଚୁଡି, ଗେହେଲଇ ଗୁଟି, ଗୁଡ଼ମହୁ, ବାଇକାନି, କଳାଜିରା, ଜୟା, ବାସ୍‌ମତି, ଜ୍ୟୋତି, ପାରିଜାତ, ପଥରା, ଗୌରୀ, କାଞ୍ଚନ, ପୂଜା, ଦୁର୍ଗା ଇତ୍ୟାଦି ଧାନ ଚାଷ କରୁଥିଲା। ନୂଆ ହାଇବ୍ରିଡ୍‌ ଅଧିକ ଅମଳକ୍ଷମ ଧାନ ବିହନ ଆସିବା ପରେ ପୁରୁଣା ଧାନ ବିହନର ସମାବେଶ ଆଉ ଚାଷୀପୁଅ ପାଖରେ ଦେଖିବାକୁ ମିଳୁନାହିଁ। ନିଜ ଘର ଚଷୁକୁଣ୍ଡା କେଉଁଆଡ଼େ ଚାଲିଗଲାଣି। ସରକାରୀ ଧାନ ବିହନ କିଣି ଚାଷୀ ଚାଷ କରୁଛି । ଅମଳ ହେଉଥିବା ଧାନକୁ ମଣ୍ଡିରେ ବିକି ଦୁଇପଇସା ପାଉଛି। ଘରେ ଜମେଇ ରଖି ତାକୁ ବର୍ଷସାରା ଜଗିବାକୁ ଚାହୁଁନାହିଁ। ଅମାରଘରର ବାସ୍ନା ଆଜି ଲାଗୁଛି ଦିବାସ୍ବପ୍ନ ପରି ଅବାସ୍ତବ। ଧାନବେଣୀ କେବଳ ଗୁରୁବାର ମାଣବସା ପାଇଁ ପୂଜା ଦୋକାନରେ ବିକ୍ରି ହେଉଛି। ଘରେ ଘରେ ଶୋଭାପାଉ ନାହିଁ କି ସେମାନଙ୍କ ଉପରେ ଘରଚଟିଆର ପାଦ ପଡୁନାହିଁ।
ସେହିପରି ଏବେ ବଜାରରେ ମିଳୁଥିବା ଘିଅ, ତେଲ, ମହୁ ଇତ୍ୟାଦିରୁ ସେମାନଙ୍କ ପ୍ରାକୃତିକ ବାସ୍ନା ମିଳିପାରୁ ନାହିଁ। ବୋଧହୁଏ ଅତ୍ୟଧିକ ଖାଦ୍ୟ ସଚେତନତା ଆଳରେ ଖାଦ୍ୟର ପ୍ରକ୍ରିୟାକରଣ ଓ ଠକ ବ୍ୟବସାୟୀଙ୍କ ଦ୍ୱାରା ଅନେକ ଖାଦ୍ୟଦ୍ରବ୍ୟର ଅପମିଶ୍ରଣ କିମ୍ବା ନକଲି ଖାଦ୍ୟ ସାମଗ୍ରୀ ଏହି ଅନ୍ତର୍ହିତ ବାସ୍ନାର ମୁଖ୍ୟ କାରଣ ହୋଇପାରେ ା କିଛି ସମୟ ପାଇଁ କେବଳ ସ୍ବାଦ ଗନ୍ଧରେ ସମାନତାକୁ ଛାଡ଼ି ଦେଲେ ଏମାନେ ଗୁଣରେ ମୂଳ ଦ୍ରବ୍ୟ ସହ ଆଦୌ ସମାନ ନୁହନ୍ତି ା ଅପମିଶ୍ରିତ ଖାଦ୍ୟ ବା ନକଲି ଖାଦ୍ୟ ଖାଇବା ଦ୍ୱାରା ସ୍ବାସ୍ଥ୍ୟରେ ଅବନତି ଓ ବିକଟ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି ା ସେହିପରି ମନର ସୁସ୍ଥତା ବି ଏକ ଅତ୍ୟାବଶକ ବିଷୟ ଓ ଏହା ଅନେକ କଥା ଉପରେ ନିର୍ଭରକରେ ା ଖରାପ ପରିବେଶ ଭିତରେ ମନ ଆକ୍ରାନ୍ତ ଓ ଖରାପ ହେବା ଯଥେଷ୍ଟ ସମ୍ଭାବନା ରହିଥାଏ ା ସ୍ନେହ, ପ୍ରେମ, ଆଦର, ଭଲପାଇବା, ଜଣେ ଆଉ ଜଣଙ୍କର ଯତ୍ନ ନେବା, ମିଠାକଥା ଓ ବ୍ୟବହାର, ସୁନ୍ଦର ଦୃଶ୍ୟ ଇତ୍ୟାଦି ସହ ସକାରାତ୍ମକତା ହିଁ ଏକ ସୁସ୍ଥ ମନ ଗଢ଼ିପାରେ ; ଯାହାକି ଆମ ସମାଜର ଗଠନର ମୂଳ ପୁଞ୍ଜି । ଆମେ ଆମ ନିକଟତମ ପରିବେଶ, ଚିହ୍ନାଜଣା କିମ୍ବା ଆପଣାର ମଣିଷ, ଅନେକ ସ୍ଥଳେ ସମ୍ବେଦନଶୀଳ ମଣିଷମାନଙ୍କ ପାଖରୁ ଏହି ସୁସ୍ଥତାର ଉପାଦାନଗୁଡ଼ିକ ପ୍ରଚୁର ପରିମାଣରେ ପାଇଥାନ୍ତି। ସମୟ ସହ କ୍ରମଶଃ ପରିବାରଗୁଡିକ କ୍ଷୁଦ୍ରରୁ କ୍ଷୁଦ୍ରତର ହୋଇଯାଉଛି, ସମସ୍ତେ ପରସ୍ପରଠାରୁ ଅଲଗା ରହିବାକୁ ଭଲପାଉଛନ୍ତି। ବ୍ୟକ୍ତିକୈନ୍ଦ୍ରିକତାର ମନୋଭାବରେ ଅଭିବୃଦ୍ଧି ମଣିଷର ସ୍ବାର୍ଥପର ମାନସିକତାର ପରିଚୟ ପ୍ରଦାନ କରୁଛି। ଅନ୍ୟପକ୍ଷରେ ଛୋଟ ବେଳୁ ପିଲାମାନଙ୍କ କାନ୍ଧରେ ପାଠର ବୋଝ, ସ୍ମାର୍ଟଫୋନ୍‌, ଇଣ୍ଟରନେଟ୍‌ରେ ମନ ପୁଣି କେହି କାହା ପାଇଁ ସମୟ ଦେଇ ନ ପାରିବା ହେତୁ ପାରସ୍ପରିକ ଦୂରତା ବଢ଼ିଚାଲିଛି। ବଡ଼ମାନଙ୍କର ମମତାମୟୀ ମାଦକତା ଓ ସେଥିରେ ବୋଳିହୋଇଥିବା ସ୍ନେହାଶୀର୍ବାଦର ସାମଗ୍ରିକ ବାସ୍ନାକୁ କେହି କ’ଣ ସହଜରେ ଭୁଲିପାରିବ? ସେ ବାସ୍ନାକୁ ହୃଦୟ ଭିତରେ ସାଇତି ରଖିବା ପାଇଁ କିଏ ବା ନ ଚାହିଁବ? ହେଲେ ସାଂପ୍ରତିକ ପରିସ୍ଥିତିରେ ଏହା କେତେଦୂର ସମ୍ଭବ ତାହା ନିଶ୍ଚୟ ଏକ ବିରାଟ ପ୍ରଶ୍ନ! ବଦଳୁଥିବା ସମୟ ସହ ଅନେକ କିଛି ପୁରାତନ ବ୍ୟବସ୍ଥାର ଆବଶ୍ୟକତାକୁ ସ୍ବୀକାର ଓ ଲୋକଧାରାରେ ନିରନ୍ତର ପ୍ରଚଳନ ସମ୍ପର୍କରେ ସମ୍ପ୍ରତି ସକାରାତ୍ମକ ଚିନ୍ତନ ଆସିବାକୁ ନେଇ ଆମେ ତଥାପି ଆଶାବାଦୀ ରହିବା।

ରାଜୀବ ଗୋପାଳ ସ୍ବାଇଁ
ମୋ: ୭୬୮୪୯୮୯୫୫୭

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri