ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍ଏସ୍ଏସ୍ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା ଧକ୍କା ଦେଇ ଚମ୍ପଟ ମାରିଛି। ମୃତ ଯୁବକ ଜଣକ ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ବୋଲି ଜଣାପଡ଼ିଛି। ଅମର୍ଦ୍ଦାରୋଡ୍ ବଜାରର ଏକ ଦୋକାନରେ ରହି ସେ କାମ କରୁଥିଲେ।
ସୂଚନାନୁଯାୟୀ ଯୁବକ ଜଣକ ଅମର୍ଦ୍ଦାରୋଡ୍ ବଜାରର ବିଭିନ୍ନ ଦୋକାନରେ ରହି କାମ କରୁଥିଲେ। ଶନିବାର ବିଳମ୍ବିତ ରାତିରେ ରେଳବାଇ କାମ ପାଇଁ ମୋରମ ବୋଝେଇ କରି ଆସିଥିବା ଏକ ହାଇଓ୍ବା ଧକ୍କା ଦେଇ ସେଠାରୁ ଚମ୍ପଟ ମାରିଥିଲା। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଷ୍ଟେଶନ ପରିସରରେ ମୃତଦେହ ପଡ଼ିରହିଛି l ବର୍ତ୍ତମାନ ସୁଦ୍ଧା ୧୨ ଘଣ୍ଟାରୁ ଅଧିକ ସମୟ ବିତିବାକୁ ବସିଥିଲେ ମଧ୍ୟ ରେଳବାଇ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନାହିଁ। ରେଳବାଇ କାମ ପାଇଁ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ତହସିଲ ଅଞ୍ଚଳରୁ ହଜାର ହଜାର ଟ୍ରିପ୍ ମାଟି, ମୋରମ ଏହି ରାସ୍ତା ଦେଇ ପଶ୍ଚିମବଙ୍ଗକୁ ଯାଉଛି l ପ୍ରତ୍ୟେକ ଦିନ ୪ ଶହରୁ ଅଧିକ ମାଟି, ମୋରମ ବୋଝେଇ ହାଇଓ୍ବା ଯାତାୟାତ କରୁଥିବାରୁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଧନ ଜୀବନ କ୍ଷତି ହେଉଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଅମର୍ଦ୍ଦାରୋଡ୍ ଗୋଟିଏ ବ୍ୟସ୍ତବହୁଳ ବଜାର ହୋଇ ଥିବାରୁ ଜନ ଗହଳି ଲାଗି ରହିଥାଏ l ବେଧଡ଼କ ମାଟିମୋରମ ଚାଲାଣ ଯୋଗୁ ଲୋକେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ପ୍ରଶାସନ ପକ୍ଷରୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବା ନିମନ୍ତେ ଦାବି ହୋଇଛି।

