ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…

ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼ ପଲ ନଦୀକୁ ଡେଇଁ ପହଁରି ପହଁରି ଯାଉଥିବା ଦେଖିବାକୁ ମିଳିଥିଲା। ଏହାକୁ ଉକ୍ତ ଅଞ୍ଚଳର ଜଣେ ବ୍ୟକ୍ତି ମୋବାଇଲରେ ରେକର୍ଡ କରିଥିଲେ। କୁମ୍ଭୀର ଆହାର ପାଲଟିଲା ମାଙ୍କଡ଼। ସାଥୀ ମାଙ୍କଡ ପଲ କୁମ୍ଭୀର ମୁହଁରୁ ବଞ୍ଚାଇ ପାରିଲେ ନାହିଁ। ଅଦ୍ୟାବଧି ନଦୀ ନାଳରେ କୁମ୍ଭୀର ମାଳ ମାଳ ଭାସୁଥିବା ଦେଖିବାକୁ ମିଳୁଛି।

ବ୍ଲକ ଅଧୀନ ବତିଘର, ରାମନଗର, ବଉଳକଣି, ସୁନିତି, କେବୀ ଦାଣ୍ଡୁଆ, ରଡିଆ, କଂସାର, ପେଟଛେଲା, ଏକଲପୁର, ବିଜୟନଗର, ଚଣ୍ଡିଆପଲ୍ଲୀ, ଦେଉକପଡ଼ା, ବାଙ୍କିଛନ୍ଦା ଏବଂ ଓରତ ଆଦି ଅଞ୍ଚଳ ଗୋବରୀ ନଦୀରେ ବହୁ ସଂଖ୍ୟାରେ ବିଶାଳ କୁମ୍ଭୀର ଦେଖିବାକୁ ମିଳୁଛି। ବନ ବିଭାଗ ପକ୍ଷରୁ ଜନ ସଚେତନତା ଆରମ୍ଭ କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ବିରଞ୍ଚି ନାରାୟଣ ଦାସ ଦାବି କରିଛନ୍ତି ।
ଏ ସଂକ୍ରାନ୍ତରେ ଜମ୍ବୁ ବନ ବିଭାଗ ରେଞ୍ଜ ଅଧିକାରୀ ଶାନ୍ତନୁ କୁମାର ଦଳାଇଙ୍କ ମତାମତ ନେବାରେ ନଦୀ କୂଳରେ ବାସକରୁଥିବା ଲୋକମାନେ ନଦୀକୁ ପ୍ରବେଶ ନ କରିବା ପାଇଁ ସଚେତନ ରହିବାକୁ କହିଛନ୍ତି।

Dharitri – Odisha’s No.1 Odia Daily