ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ: ବିଜୟ

ଭୁବନେଶ୍ବର, ୧୪ା୨(ବ୍ୟୁରୋ):ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ୩ ଦିନ ତଳେ କଂଗ୍ରେସରେ ମିଶିଥିବା ବେଳେ ବାରମ୍ବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ଦିଲ୍ଲୀରୁ ସୋମବାର ଫେରିବା ପରେ ବିଜୟଙ୍କୁ ଭୁବନେଶ୍ୱର ବିମାନବନ୍ଦରଠାରେ କଂଗ୍ରେସ ନେତା ଓ କର୍ମୀ ସ୍ବାଗତ କରିବା ସହ ଏକ ରାଲି କରି କଂଗ୍ରେସ ଭବନକୁ ପାଛୋଟି ନେଇଥିଲେ। ସେଠାରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସମେତ ଅନ୍ୟ ନେତାମାନେ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ଦଳରେ ସ୍ବାଗତ କରିଛନ୍ତି। ପିସିସି ସଭାପତି ଏହି ଅବସରରେ କହିଥିଲେ, ବିଜୟଙ୍କ ଯୋଗଦାନ ଦଳୀୟ କର୍ମୀ ଓ ନେତାଙ୍କୁ ଉତ୍ସାହିତ କରିବ। ଅନ୍ୟପଟେ ଏକ ଖବରଦାତା ସମ୍ମିଳନୀ ଜରିଆରେ ସରକାରଙ୍କୁ ଟାର୍ଗେଟ କରିବାକୁ ଯାଇ ବିଜୟ କହିଛନ୍ତି, ୫-ଟି ଏକ ସ୍ଲୋଗାନ। ସବୁ ବିଭାଗର ସଚିବ ଅଛନ୍ତି, ତାହାହେଲେ ପୁଣି ୫-ଟି କାହିଁକି ଆବଶ୍ୟକ ପଡ଼ିଲା। ଯଦି ସବୁ ବିଭାଗ ଠିକ୍‌ କାମ କରୁଛନ୍ତି, ତାହାହେଲେ ଏହି ୫-ଟି କ’ଣ କରିବ। ୫-ଟିରେ ସ୍ବଚ୍ଛତା କଥା କୁହାଯାଉଛି, ହେଲେ ତାହା ବାସ୍ତବରେ ଅଛି ତ ବୋଲି ସେ ପ୍ରଶ୍ନ କରିଛନ୍ତି। ଯେମିତି ଶାସନ ଚାଲିଛି ସବୁ ଅମଲାଙ୍କ ଭିତରେ କ୍ଷୋଭ ରହିଛି। ପୁଣି ସାଧାରଣ ଲୋକଟିଏର କିଛି ଅସୁବିଧା ହେଲେ ସେ କାହାକୁ କହିବ। ବିଧାୟକଙ୍କ ପାଖକୁ ଗଲେ, ସେ କହିବେ ଅଫିସରଙ୍କ ପାଖକୁ ଯାଅ। ଅଫିସରଙ୍କ ପାଖକୁ ଗଲେ ସେ କହିବେ ୩ୟ ମହଲା ବୁଝୁଛି। ୩ୟ ମହଲା ଅପହଞ୍ଚ, ସେଠାକୁ ଖବରଦାତାମାନଙ୍କୁ ମଧ୍ୟ ଯିବାକୁ ମନା। ଏଭଳି ରୁଦ୍ଧଦ୍ୱାର ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ ବୋଲି ବିଜୟ କରିଛନ୍ତି।
ଅନ୍ୟପଟେ ବିଜୟଙ୍କ ମନ୍ତବ୍ୟକୁ ବିଜେଡି ପକ୍ଷରୁ ଟାର୍ଗେଟ କରାଯାଇଛି। ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି, କଂଗ୍ରେସରେ ଯୋଗ ଦେଇଥିବା ଅବସରପ୍ରାପ୍ତ ପ୍ରଶାସକ ବିଜୟ ପଟ୍ଟନାୟକଙ୍କ ଆଜି ତାଙ୍କ ପ୍ରଥମ ଖବରଦାତା ସମ୍ମିଳନୀରେ ଯେଉଁ ବକ୍ତବ୍ୟ ରଖିଲେ ତାହା ଶୁଣିଲୁ। ସେଥିରୁ ଲାଗିଲା ସେ କଂଗ୍ରେସ ନୁହେଁ, ବରଂ ଭାଜପାର ଜଣେ ମୁଖପାତ୍ର ଭାବେ କଥା ହେଉଛନ୍ତି। ସମସ୍ତେ ଭଲଭାବେ ଜାଣନ୍ତି, ସରକାରୀ ଚାକିରିରୁ ଅବସର ନେବା ପରେ ବିଜୟ ରାଜନୀତିରେ ଯୋଗଦେଇ କ୍ଷମତାରେ ରହିବା ପାଇଁ କେତେ ବ୍ୟାକୁଳ ଥିଲେ ା ଏଥିପାଇଁ ସେ ବିଜେଡିରେ ଯୋଗଦେଇ ରାଜ୍ୟ ସଭା ଯିବାକୁ ଚାହୁଁଥିଲେ ା ମାତ୍ର ତାହା ସମ୍ଭବ ନ ହେବାରୁ ସେ ଶେଷରେ ବୁଲିବୁଲି କଂଗ୍ରେସରେ ଯୋଗଦେଲେ ା
ଏବେଠୁ ଜଣାପଡୁଛି, ଭବିଷ୍ୟତରେ ସେ କଂଗ୍ରେସରେ ରହି ମଧ୍ୟ ଭାଜପାର ମୁଖପାତ୍ର ଭଳି କାମ କରିବେ ବୋଲି ଲେନିନ୍‌ କହିଛନ୍ତି ା