ଖଲ୍ଲିକୋଟ,୧୭ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ନାରାୟଣୀ ଛକରେ ଗୁରୁବାର ଭୋର୍ରୁ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି।
ସୂଚନାନୁଯାୟୀ,ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳରୁ ପରିବାର ର ୧୨ ଜଣ ସଦସ୍ୟ ଏକ ଟ୍ରାଭେରା ଗାଡ଼ି ନମ୍ବର ଓଡି ୦୭ ଏନ ୭୮୯୬ ଯୋଗେ ଘଟଗାଁ ତାରିଣୀ ଦର୍ଶନ କରିବାକୁ ଯାଇଥିଲେ। ଗାଡ଼ିରେ ଡ୍ରାଇଭରଙ୍କୁ ମିଶାଇ ମୋଟ୍ ୧୩ ଜଣ ଥିଲେ, ଯେଉଁଥିରେ ୫ ନାବାଳିକା ବି ଥିଲେ। ସେମାନେ ଘଟଗାଁରେ ମା’ ତାରିଣୀଙ୍କ ଦର୍ଶନ ସାରି ଜଗା ଦର୍ଶନ ପାଇଁ ପୁରୀ ଯାଇଥିଲେ। ପୁରୀରୁ ବ୍ରହ୍ମପୁର ଫେରିବା ବେଳେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନାରାୟଣୀ ଛକଠାରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏମିତି କି ରାସ୍ତା ଉପରେ ଗାଡ଼ିଟି ୪ ପଲଟି ମାରିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଫଳରେ ଦୁର୍ଘଟଣାସ୍ଥଳରେ ହିଁ ଜଣକ ମୃତ୍ୟୁ ଘଟିଥିଲା। ତାଙ୍କ ନାମ ନାରସିମ ରେଡ୍ଡୀ ବୋଲି ଜଣାପଡ଼ିଛି। ଅନ୍ୟ ସମସ୍ତେ ଆହତ ହୋଇଥିଲେ। ତୁରନ୍ତ ସେମାନଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଏଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତେବେ ୨ ଜଣ ନାବାଳିକା ଓ ଜଣେ ପୁରୁଷ, ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।