ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗାଁର ଦୌପଦୀ ମେହେର (୬୩) । ସୂଚନା ଅନୁଯାୟୀ ଶୁକ୍ରବାର ଭୋର ସମୟରେ ଦୌପଦୀ ଶୌଚ ପାଇଁ ଗମ୍ଭାରୀଗୁଡା ରାସ୍ତାପଟେ ଯାଉଥିବାବେଳେ ହଠାତ୍ ଏକ ଭାଲୁ ଆସି ଆକ୍ରମଣ କରିଥିଲା। ଦୌପଦୀ ଚେତାଶୂନ୍ୟ ଅବସ୍ଥାରେ ରାସ୍ତା କଡରେ ପଡି ରହିଥିଲେ। ଉକ୍ତ ରାସ୍ତାରେ ଯାଉଥିବା ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସିନାପାଲି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ସିନାପାଲି ଥାନାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଭାଲୁ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେଲା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ସନ୍ଧ୍ୟା ହେଲେ ଲୋକେ ତାଟିକବାଟ ବନ୍ଦ କରି ଦେଉଛନ୍ତି। ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


