ଖୋର୍ଦ୍ଧା,୨।୯ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ଜଂକିଆ ଥାନା ଅନ୍ତର୍ଗତ ଛଣଗିରୀ ଗ୍ରାମରେ ଥିବା ସ୍ବର୍ଣ୍ଣ ଅଳଙ୍କାର ପ୍ରତିଷ୍ଠାନରୁ ଗତ ୨୪ ତାରିଖ ଦିନ ଦ୍ୱିପହରେ ହୋଇଥିବା ବଡ଼ ଲୁଟ୍ ଘଟଣାର ପୋଲିସ ମଙ୍ଗଳବାର ପର୍ଦ୍ଦାଫାଶ କରିଛି। ଗତ ୨୪ତାରିଖରେ ୧୦ଜଣ ଡକାୟତ ମୁଖା, ହେଲମେଟ ପିନ୍ଧି ବନ୍ଧୁକ, ବମ୍ ଫୁଟାଇ ରୂପା, ଅଳଙ୍କାର ସହ ନଗଦ ଟଙ୍କା ଲୁଟ କରି ବାଇକ୍ ଯୋଗେ ଫେରାର ହୋଇଯାଇଥିଲେ।
ହେଲେ ଲୁଟ୍ ସମୟର ଦୃଶ୍ୟ ସିସିଟିଭି ଫୁଟେଜରେ ମିଳିଥିଲା। ଅଳଙ୍କାର ପ୍ରତିଷ୍ଠାନର ମାଲିକ ଅରୁନ୍ଧତୀ ସାହୁଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏସ୍ପି ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଧେଶ କ୍ରମେ ୩ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଧରିବା ସହ ଲୁଟ ଘଟଣାର ପର୍ଦ୍ଦାଫାଶ କରିଛନ୍ତି। ପୋଲିସ ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଛି।
ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୯୦୦ଗ୍ରାମ ସୁନା, ୨ କିଲୋ ୩୬୩ ଗ୍ରାମ ରୂପା ଏବଂ ନଗଦ ୯ଲକ୍ଷ ୪୫ ହଜାର ଟଙ୍କା ଜବତ କରିଛି। ଏପରିକି ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ, ଜୀବନ୍ତ ଗୁଳି ଏବଂ ମାରଣାସ୍ତ୍ର ଜବତ କରିଛି।
ଲୁଟ ଘଟଣାରେ ୧୦ଜଣ ସମ୍ପୃକ୍ତ ଥିବାବେଳେ ୪ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଫେରାର ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଛି। ଏହି ସମ୍ପର୍କରେ ପୋଲିସ ଡିଆଇଜି ସତ୍ୟଜିତ ନାୟକ ଏକ ଖବରଦାତା ସମ୍ମିଳନୀରେ ଲୁଟ ଘଟଣାର ପର୍ଦ୍ଧାଫାଶ କରି କହିଥିଲେ ଯେ, ଏହା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ଖୋର୍ଦ୍ଧା, ପୁରୀ, ନୟାଗଡ଼, ଭୁବନେଶ୍ୱର ଅଞ୍ଚଳରେ ପୋଲିସ ଟିମ୍ ଚଢାଉ କରି ସମସ୍ତ ଲୁଟ ସୁନା, ରୂପା ଏବଂ ନଗଦ ଟଙ୍କା ଜବତ କରାଯାଇଥିବା କହିଛନ୍ତି।