ଦାଦନ ଖଟିବାକୁ ଯାଇ ଫସିଲେ ୯ ଯୁବକ, ପାଖରେ ଟଙ୍କା ନାହିଁ କି କାମ ନାହିଁ, ଭିଡିଓ କରି କହିଲେ…

ରାୟଗଡ଼ା,୧୮ା୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଖଣିଜ ସମ୍ପଦ ଭରା କାଶୀପୁର ବ୍ଲକରେ ବକ୍ସାଇଟ ପାଇଁ ବିଶ୍ବ ପରିଚିତ ଉତ୍କଳ ଆଲୁମିନା ଭଳି କମ୍ପାନୀ ରହିଛି। ହେଲେ ଏହି ବ୍ଲକର ଯୁବପିଢ଼ି ଆଜି ବି କାମ ନ ପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ତେବେ ଦାଦନ ଖଟିବାକୁ ଯାଇ କେହି ମୃତ୍ୟୁବରଣ କରୁଛନ୍ତି ତ ଆଉ କେହି ନିଜର କଷ୍ଟର ଅର୍ଥ ନ ପାଇ ଅତ୍ୟାଚାର ଶିକାର ହୋଇ ଘରକୁ ଫେରୁଛନ୍ତି। ତେବେ ଅଧିକ ଅର୍ଥ ଉପାର୍ଜନ ପାଇଁ ବାହାର ରାଜ୍ୟକୁ ଯାଉଥିବା ଏହି ଯୁବପିଢ଼ି ପାଇଁ କାହାରି ଆନ୍ତରିକତା ନାହିଁ। ଜିଲାରେ କିଭଳି ଉତ୍ତମ ରୋଜଗାର ଦିଆଯାଇପାରିବ ସେନେଇ ଚିନ୍ତା ନାହିଁ। ରାଜ୍ୟ ସରକାରଙ୍କ ଯୋଜନା ମାଳମାଳ ହେଲେ ଜିଲାରେ କାର୍ଯ୍ୟକାରୀ ହୋଇପାରୁନି ବୋଲି ଅଭିଯୋଗ ହୋଇଛି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କାଶୀପୁର ବ୍ଲକରେ। କାଶୀପୁର ବ୍ଲକ ୯ ଜଣ ଯୁବକ କାମ କରିବା ପାଇଁ ତେଲଙ୍ଗାନା ରାଜ୍ୟର ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀକୁ ଯାଇଛନ୍ତି। ନଭେମ୍ବର ମାସରେ ଯାଇ ଇତି ମଧ୍ୟରେ ଦେଢ଼ ମାସରୁ ଊଦ୍ଧର୍‌ବ ହେଲାଣି। ହେଲେ କମ୍ପାନୀ କାମ ଦେଉନାହିଁ କି ପ୍ରତିଶ୍ରୁତି ଦେଇଥିବା ଅଗ୍ରୀମ ୨୫ ହଜାର ଟଙ୍କା ମଧ୍ୟ ଦେଉନାହିଁ। ଏହିଭଳି ଅଭିଯୋଗ ଆଣିଛନ୍ତି ଉକ୍ତ ୯ ଯୁବକ।

ସେମାନେ ହେଲେ କାଶୀପୁର ବ୍ଲକର ବିଟୁ ମାଝୀ, ଦଇତାରୀ ମାଝୀ, ବିଭୀଷଣ ମାଝୀ, କବି ମାଝୀ, ରାଜୁ ମାଝୀ, ବୁଲୁ ମାଝୀ, ମୋହନ ମାଝୀ, ସମ୍ରାଟ ମାଝୀ ଓ ବ୍ରଜ ମାଝୀ। ସେମାନେ ସେଠାକୁ କାମ କରିବାକୁ ଗଲେ ପୂର୍ବରୁ ଗ୍ଲୋବାଲ ଷ୍ଟିଲ କମ୍ପାନୀରେ ଏନେଇ ସେମାନେ ଅନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ସଦନ ମାଝୀଙ୍କୁ ଫୋନ୍‌ ଯୋଗେ ସୂଚନା ଦେବା ସହିତ ଭିଡିଓ ବାର୍ତ୍ତା ଦେଇଛନ୍ତି। ସେମାନଙ୍କୁ ନିଜର ପ୍ରାପ୍ୟ ପାଇବାର ସୁବିଧା କରିବା ସହିତ ଘରକୁ ଫେରାଇ ଆଣିବା ପାଇଁ ଜିଲା ପ୍ରଶାସନ ଓ ଜିଲା ଶ୍ରମ ବିଭାଗକୁ ନିକଟରେ ଭିଡିଓ ମାଧ୍ୟମରେ ଅନୁରୋଧ କରିଛନ୍ତି। ଏଭଳିକି ସେମାନେ ନେଇଥିବା ଟଙ୍କା ସରିଯାଇଥିବା ବେଳେ ଗତ ୭ ଦିନ ହେଲାଣି ସେମାନେ ଠିକ ଭବେ ଖାଇବାକୁ ପାଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି।

Dharitri – Odisha’s No.1 Odia Daily