ଖଣି ପାଇଁ ବଳି ପଡ଼ିବ ୯ ଲକ୍ଷ ଗଛ

କେନ୍ଦୁଝର, ୧୦ା୭ (ସ୍ବ.ପ୍ର.)-ନୂଆ ଖଣି ଖନନ ପାଇଁ କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଗୁଆଲି ପଞ୍ଚାୟତ ଅଧୀନ ଗନ୍ଧଲପଡା ଗ୍ରାମ ନିକଟ ଶାଳ ଜଙ୍ଗଲ ପରିପୂର୍ଣ୍ଣ ଅଞ୍ଚଳକୁ ଚିହ୍ନଟ କରାଯାଇଛି। ପ୍ରାୟ ୧୮୧.୪୬୧ ହେକ୍ଟର ଅଞ୍ଚଳରେ ପାଖାପାଖି ୯ଲକ୍ଷ ଶାଳଗଛ ଥିବାରୁ ଜଙ୍ଗଲ କ୍ଷତିଗ୍ରସ୍ତ ହେବ ବୋଲି ଜଣାପଡିଛି ା ରାଜ୍ୟ ସରକାର ଯେଉଁ ୯ଟି ଗ୍ରୀନଫିଲ୍ଡ ଖଣିକ୍ଷେତ୍ର ଚିହ୍ନଟ କରିଛନ୍ତି, ତନଧ୍ୟରୁ ସର୍ବାଧିକ ୩୧୪.୩୭ ମିଲିୟନ ଟନ୍‌ ଲୁହାପଥର ଏହି ଅଞ୍ଚଳରେ ଗଚ୍ଛିତ ରହିଛି। ଏଠାରେ ୨୪୧.୫୫୮ ହେକ୍ଟର ଜମିରେ ଖଣି ଖନନ ହେବ ବୋଲି କୁହାଯାଉଛି ା
ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ଏହି ଖଣି ଖନନ ହୋଇ ପାରୁ ନ ଥିବା ବେଳେ ଏବେ ପୁଣି ନିଲାମ କରିବାକୁ ସରକାର ନିଷ୍ପତ୍ତି ନେଉଥିବା ଅଭିଯୋଗ ହେଉଛି। ଚଳିତ ମାସ ଏହି ଖଣି ନିଲାମ ହେବ ବୋଲି କୁହାଯାଉଛି। ନୂତନ ଭାବରେ ହେବାକୁ ଥିବା ୭ଟି ଖଣି ଏହି ଅଞ୍ଚଳରେ ରହିଛି ା ସୁନ୍ଦରଗଡ଼ ଜିଲା ସୀମା ଠାରୁ ୧ କି.ମି. ଦୂରରେ ଯୋଡା ଖଣି କ୍ଷେତ୍ରରେ ଏହି ଅଞ୍ଚଳ ରହିଛି। ଏହି ସବୁ ଖଣି ନିଲାମ ହେଲେ, ଏହି ଅଞ୍ଚଳରେ ଥିବା ପୁରୁଣା ସବୁଜ ବନାନୀ ବହୁ ପରିମାଣରେ କ୍ଷତିଗ୍ରସ୍ତ ହେବ। ପାଖାପାଖି ୯ ଲକ୍ଷ ଶାଳ ଗଛ ସମେତ ବହୁ ମୂଲ୍ୟବାନ ବୃକ୍ଷରାଜି ନଷ୍ଟ ହେବା ସହ ଉକ୍ତ ଜଙ୍ଗଲ ଉପରେ ନିର୍ଭରଶୀଳ ଶତାଧିକ ବନାବାସୀଙ୍କ ଜୀବନଜୀବିକା ଉଜୁଡିଯିବ ବୋଲି ପରିବେଶବିତମାନେ ମତବ୍ୟକ୍ତ କରିଛନ୍ତି ା ତେବେ ବନବିଭାଗ ପକ୍ଷରୁ କୁହାଯାଇଛି ଯେ, ସାଧାରଣତଃ ୩୦ ସିଏମ ମୋଟେଇ ଗଛଗୁଡିକ ହିସାବ କରାଯାଇଥାଏ ା ଅନ୍ୟ ସବୁ ଗଛ ସାଧାରଣ ଗଛ ଭାବରେ ହିସାବ କରି ଗଣତି କରାଯାଇ ନ ଥାଏ। ପରିବେଶବିତ୍‌ ତଥା କେନ୍ଦୁଝର ଜିଲା ନାଗରିକ ମଞ୍ଚର ସଭାପତି କିରଣ ଶଙ୍କର ସାହୁ କହିଛନ୍ତି ଯେ, ନୂତନ ଖଣି ଖନନ ଯୋଗୁ ୯ଲକ୍ଷରୁ ଊର୍ଦ୍ଧ୍ୱ ଶାଳ ଗଛ ନଷ୍ଟ ହେବା ସହ ହାତୀର ଆଶ୍ରୟସ୍ଥଳୀ କ୍ଷତିଗ୍ରସ୍ତ ହେବ। ଗୋଟିଏ ଗଛର ମୋଟେଇ ୩୦ ସିଏମ ହେବାକୁ ୬୦ବର୍ଷ ଲାଗିଥାଏ। ଏଣୁ ଗଣତିବେଳେ ବହୁ ଗଛ ଛାଡି ଦିଆଯାଇଥାଏ। ବିରୋଧ ପାଇଁ ଏହାର ନିଲାମ ବନ୍ଦ କରାଯାଇଥିବାବେଳେ ଏବେ ପୁଣି ନିଲାମ କରିବାକୁ ପ୍ରସ୍ତାବ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ।
ବନ ବିଭାଗ ବଡ଼ ବଡ଼ ଗଛକୁ ହିସାବକୁ ନେଇ ଗଣତି କରି କ୍ଷୟକ୍ଷତି ଆକଳନ କରୁଥିବା ବେଳେ ଅନ୍ୟ ସବୁକୁ ହିସାବକୁ ନେଉ ନ ଥିବାରୁ ପ୍ରକୃତ କ୍ଷୟକ୍ଷତି ପରିମାଣ ବହୁ ଗୁଣ ଅଧିକ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ା ଏହା ଦ୍ୱାରା ହାତୀ, ଭାଲୁ ଆଦି ବନ୍ୟଜନ୍ତୁ ସେମାନଙ୍କ ବାସସ୍ଥାନ ହରାଇବେ। ଲୋକ ଏବଂ ବନ୍ୟପ୍ରାଣୀଙ୍କ ମଧ୍ୟରେ ସବୁବେଳେ ଏକପ୍ରକାର ଲଢ଼େଇ ଲାଗିରହିବ। ଖଣିଖନନ ଯୋଗୁ ଏହି ଅଞ୍ଚଳରେ ସରକାର ଓ ଖଣିଲିଜ୍‌ଧାରୀ କମ୍ପାନୀମାନେ ଲାଭବାନ୍‌ ହେଉଛନ୍ତି। କିନ୍ତୁ ପ୍ରକୃତ ସ୍ଥାନୀୟ ବାସିନ୍ଦା ଆଦିବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯୋଡ଼ା ଖଣି କ୍ଷେତ୍ରରୁ ଦୈନିକ ହାରାହାରି ୫ହଜାର ଟ୍ରକ୍‌ ଚଳାଚଳ କରୁଥିବାବେଳେ ୫୦ହଜାର ଟନ୍‌ ଖଣିଜପଥର ପରିବହନ ହୋଇଥାଏ। ବହୁ ସଂଖ୍ୟାରେ ଟ୍ରକ୍‌, ଟ୍ରେଲର ଆଦି ଚଳାଚଳ ଯୋଗୁ ବାୟୁ ଓ ଜଳ ସମେତ ପରିବେଶ ଦୂଷିତ ହେବା ସହ ରାସ୍ତାଘାଟ ଶୋଚନୀୟ ହୋଇପଡୁଛି। ଧୂଳିଧୂଆଁ ଯୋଗୁ ରୋଗବ୍ୟାଧିରେ ଲୋକମାନେ ଶଢୁଛନ୍ତି। ଖଣିଖନନ ଯୋଗୁ ଜିଲାରେ ପାଖାପାଖି ୧୦,୪୫୧.୩୯ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିବା ବେଳେ ବନୀକରଣ କ୍ଷୟକ୍ଷତି ପୂରଣ କରିପାରି ନାହିଁ। ଜିଲାରେ ସମୁଦାୟ ୧୧୦ଟି ଖଣି ଥିବା ବେଳେ ରାଜ୍ୟର ୩୧.୨୮ ପ୍ରତିଶତ ଲୁହାଖଣି ଏହି ଜିଲାରେ ରହିଛି। କିନ୍ତୁ ଜଙ୍ଗଲ କ୍ଷୟ ହେଲେ କିଛିବର୍ଷ ଗଲେ ଆଉ ଶୁଦ୍ଧ ଅମ୍ଳଜାନ ମିଳିବ ନାହିଁ ବୋଲି ପରିବେଶବିତ୍‌ମାନେ ମତବ୍ୟକ୍ତ କରିଛନ୍ତି। ଏନେଇ ଯୋଡା ଖଣି ଯୁଗ୍ମ ନିର୍ଦ୍ଦେଶକ ସଲିଲ ବେହେରା କହିଛନ୍ତି ଯେ, ଉକ୍ତ ଅଞ୍ଚଳରେ ଦୁଇଟି ନୂଆ ଖଣି ପାଇଁ ପ୍ରସ୍ତାବ ରହିଛି। ତେବେ ଖଣି ଲିଜ୍‌ ପରେ କେତେ ଜଙ୍ଗଲ କ୍ଷତିଗ୍ରସ୍ତ ହେବ ଆକଳନ କଲେ ଜଣାପଡିବ। ଏ ସମ୍ପର୍କରେ କେନ୍ଦୁଝର ଡିଏଫ୍‌ଓ ସନ୍ତୋଷ ଯୋଶୀଙ୍କୁ ପଚାରିବାରୁ ଖଣି ଲିଜ ପାଇବା ପରେ ଖଣି କାର୍ଯ୍ୟ ପୂର୍ବରୁ ଜଙ୍ଗଲ ବିଭାଗ ଅନୁମତି ନେବା ସମୟରେ ଗଛ ଗଣନା ଓ ପରିବେଶୀୟ କ୍ଷୟକ୍ଷତିର ଆକଳନ କରାଯାଇଥାଏ ା ଅଦ୍ୟାବଧି କେତେ ଗଛ ଉକ୍ତ ଖଣି ପାଇଁ କ୍ଷତିଗ୍ରସ୍ତ ହେବ ଜଣାନାହିଁ ବୋଲି କହିଛନ୍ତି। ତେବେ କେନ୍ଦୁଝର ଜିଲାପାଳ ଆଶିଷ ଠାକ୍‌ରେ କହିଛନ୍ତି ଯେ, ଏ ବିଷୟରେ ମୋ ପାଖରେ କୌଣସି ସୂଚନା ନାହିଁ।