ଖୋଲିଲା ମଝିଘରିଆଣୀଙ୍କ ୯ ହୁଣ୍ଡି: ମିଳିଲା ୯୪.୪୯ ଲକ୍ଷ, ୫ ବିଦେଶୀ ନୋଟ ସହ ୯୩ ଗ୍ରାମ୍‌ ସୁନା

ରାୟଗଡ଼ା,୨୭।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରରେ ଥିବା ୯ଟି ଦାନହୁଣ୍ଡି ସୋମବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ନଗଦ ୯୪ ଲକ୍ଷ ୪୯ ହଜାର ୫୪ ଟଙ୍କା ସହିତ ୯୩.୧୦ ଗ୍ରାମ ସୁନା ଓ ୨ କେଜି ୧୭୦ ଗ୍ରାମ ରୁପା ବାହାରିଥିବା ଜଣାପଡ଼ିଛି। ଏଥିସହିତ ବିଭିନ୍ନ ଦେଶର ୫ଟି ନୋଟ୍‌ ମଧ୍ୟ ବାହାରିଛି।

ସେଥିମଧ୍ୟରୁ ୩ଟି ଆମେରିକାନ୍‌ ଡଲାର, ଓମାନ ସେଣ୍ଟ୍ରାଲ ବ୍ୟାଙ୍କର ୧, କତାର ସେଣ୍ଟ୍ରାଲ ବ୍ୟାଙ୍କର ୧ ନୋଟ୍‌ ସହ ପୁରୁଣା ୫ ଟଙ୍କିଆ ୩ଟା ନୋଟ୍‌ ବାହାରିଛି। ବିଦେଶରେ ରହୁଥିବା କୌଣସି ଭକ୍ତ ମା’ଙ୍କ ଦର୍ଶନ ପାଇଁ ଆସି ଏହି ବିଦେଶୀ ଟଙ୍କା ହୁଣ୍ଡିରେ ଦାନ କରିଥିବା ଅନୁମାନ କରାଯାଉଛି। ରବିବାର ସକାଳ ୧୦ଟାରେ ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ତରଫରୁ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଥିଲା।

ହୁଣ୍ଡିରୁ ବାହାରିଥିବା ଟଙ୍କା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରେ ଗଚ୍ଛିତ ରଖାଯିବ। ସେହିଭଳି ସୁନା ଓ ରୁପା ଜିଲା କୋଷାଗାରରେ ରଖାଯିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଏହି ଗଣତିରେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ଅନେକ ସ୍ବେଚ୍ଛାସେବୀ ସାମିଲ ହୋଇଥିଲେ। ଗଣତି ବେଳେ ପୋଲିସ ଓ ମନ୍ଦିର ସୁରକ୍ଷା କର୍ମୀଙ୍କ ଦ୍ବାରା ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଥିଲା।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୨୪ ଜୁଲାଇ ୨୪ରେ ମା’ଙ୍କ ହୁଣ୍ଡିରୁ ନଗଦ ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା ସହିତ ୫୩ ଗ୍ରାମ୍‌ ସୁନା ଓ ୨୩୯୨ ଗ୍ରାମ୍‌ ରୁପା ବାହାରିଥିଲା। ଏଥିସହିତ ବିଭିନ୍ନ ପ୍ରକାର ୩୩ଟି ବିଦେଶୀ ନୋଟ୍‌ ମଧ୍ୟ ବାହାରିଥିଲା। ଏଥିରେ ଇଂଲଣ୍ଡର ୨୦ ପାଉଣ୍ଡ ନୋଟ୍‌ ୨୦ଟି, ୧୦ ପାଉଣ୍ଡ ନୋଟ ୧୦ଟି, କାନାଡ଼ାର ୫ କାନାଡିଆନ ଡଲାର ୧ଟି, ଆମେରିକାର ୨୦ ଡଲାର ନୋଟ୍‌ ୧ଟି ଏବଂ ଥାଇଲାଣ୍ଡର ୧୦୦ ଥାଇ ନୋଟ୍‌ ରହିଥିଲା ା
ଫଟୋ- ମା’ ମଝିଘରିଆଣୀ ମନ୍ଦିର ଦାନହୁଣ୍ଡିରୁ ବାହାରିଥିବା ଟଙ୍କା ଗଣତି କରାଯାଉଛି।

Share