ଛତର ଯାତ୍ରାରୁ ଚୋରି କରି ଭାଗ ବାଣ୍ଟୁଥିଲେ, ୯ ଜଣଙ୍କୁ ବାନ୍ଧିଲା ବଲାଙ୍ଗୀର ପୋଲିସ; ୩୯ ମୋବାଇଲ ସହ…

ବଲାଙ୍ଗୀର , ୧।୧୦: କଳାହାଣ୍ଡି ଜିଲାର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ମଙ୍ଗଳବାର ଥିଲା। ସେହି ଯାତ୍ରାରେ ଭକ୍ତ ମାନେ ମା’ଙ୍କ ଦର୍ଶନ କରି ଆସିଥିବାବେଳେ ସେମାନଙ୍କଠାରୁ ନାନାଦି ସାମଗ୍ରୀ ଚୋରି ହୋଇଥିଲା। ଘଟଣାରେ ଚଢାଉ କରି ପୋଲିସ ୩୯ ମୋବାଇଲ, ୪ ମୋଟର ସାଇକେଲ, ବିଭିନ୍ନ ସାମଗ୍ରୀ ସହ ୯ ଜଣ ଚୋରଙ୍କୁ ଅଟକ ରଖିଛି ।
ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବଙ୍ଗୋମୁଣ୍ଡା- ସିଂଧେକେଲା ଯିବା ରାସ୍ତା କନ୍ଧବାହାଲ ଗାଁ ର ମାର୍କେଟ କମ୍ପ୍ଲେସ ଠାରେ କିଛି ଯୁବକ ଚୋରି କରିଥିବା ସାମଗ୍ରୀକୁ ଆଣି ଭାଗବଣ୍ଟା କରୁଥିଲେ।ଏହି ସମୟରେ ଖବର ପାଇ ଚଢାଉ କରିଥିଲା ବଙ୍ଗୋମୁଣ୍ଡା ଓ ସିଂଧେକେଲା ପୋଲିସ । ୮ ଯୁବକ ଓ ଜଣେ ମହିଳା(ମୋଟ ନଅ ଜଣଙ୍କୁ ଧରି ଥାନାକୁ ଆଣି ଅଟକ ରଖି ପଚରାଉଚୁରା କଲା ପରେ ଏମାନେ ସବୁ ଡକାୟତି ଗେଙ୍ଗ ରେ ସାମିଲ ଥିବା ଜଣାପଡିଥିଲା। ଏମାନେ ଯାତ୍ରାକୁ ଟାର୍ଗେଟ କରି ଆସି  ଚୋରି କରିଥିଲେ l ସେମାନଙ୍କ ପାଖରୁ  ୩୯ ଟି ମୋବାଇଲ ଫୋନ, ୪ ଟି ମୋଟର ସାଇକେଲ ସହ ଅନ୍ୟାନ୍ୟ ଜିନିଷ କୁ ଜବତ କରିଛି ବଙ୍ଗୋମୁଣ୍ଡା ପୋଲିସ । ଏମାନଙ୍କର ଛତିଶଗଡ଼, ମଧ୍ୟପ୍ରଦେଶ ରାଜ୍ୟ କୁ ଲିଙ୍କ ଥିବା ଜଣାପଡିଛି l  ଗତକାଲି କଳାହାଣ୍ଡି ଜିଲ୍ଲା ର ବିଶ୍ୱପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହୋଇଥିଲା । ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ସେହି ଭିଡ଼ରୁ ଏମାନେ ସବୁ ଚୋରି କରିଥିଲେ। ମୋଟ ୯ ଜଣଙ୍କୁ ଅଟକ ରଖି ତଦନ୍ତ ଚାଲିଥିବା ବେଳେ ସେମାନଙ୍କୁ କଳାହାଣ୍ଡି ଜିଲା ଭବାନୀପାଟଣା ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ଅନ୍ୟପଟେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

Share