ଅନ୍ଧାରରେ ୮୦ ଛାତ୍ରୀଛାତ୍ର

ମାଲକାନଗିରି, ୧୫।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡିଆ ବ୍ଲକ ନିଲିଗୁଡ଼ା ପଞ୍ଚାୟତ ଇରାଲଗୁଣ୍ଡି ଭୀମା ମାଡ଼କାମୀ ଉଚ୍ଚ ବିଦ୍ୟାଳୟରୁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ବିଜୁଳି ସଂଯୋଗ କଟାଯାଇଛି। ଏନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହାଡିବନ୍ଧୁ ସାହୁ ଜିଲାପାଳଙ୍କୁ ପତ୍ର ମାଧ୍ୟମରେ ଏହି ସମସ୍ୟା ସମ୍ବନ୍ଧରେ ଜଣାଇଛନ୍ତି। ଜିଲାପାଳ ଏହାର ସମାଧାନ ପାଇଁ ଭାରପ୍ରାପ୍ତ ଜିଲା ଶିକ୍ଷାଧିକାରୀ ଉମା ପ୍ରସାଦ ଦାସଙ୍କୁ ଜଣାଇଥିଲେ।

ରବିବାର ବିଦ୍ୟୁତ୍‌ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରି ଏହାର ସମାଧାନ କରାଯିବ ବୋଲି ଭାରପ୍ରାପ୍ତ ଜିଲା ଶିକ୍ଷାଧିକାରୀ ଉମା ପ୍ରସାଦ ଦାସ କହିଛନ୍ତି। ସୂଚନାନୁଯାୟୀ ବହୁମାସ ଧରି ବିଦ୍ୟାଳୟ କର୍ତ୍ତୃପକ୍ଷ ବିଲ୍‌ ପୈଠ କରି ନ ଥିବାରୁ ବିଭାଗ ପକ୍ଷରୁ ବିଦ୍ୟୁତ୍‌ ସଂଯୋଗ କଟାଯାଇଛି। ଫଳରେ ଉକ୍ତ ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ୮୦ଜଣ ଛାତ୍ରୀଛାତ୍ର ଶୁକ୍ରବାରଠାରୁ ଅନ୍ଧାରରେ ଅଛନ୍ତି। ପାଣିର ଅଭାବ, ରାତିରେ ଖାଦ୍ୟ ପ୍ରସ୍ତୁତି, ସ୍ନାନ ଶୌଚ ଆଦିରେ ଅସୁବିଧା ହେଉଛି। ଆଉ କିଛିଦିନ ମଧ୍ୟରେ ମାଟ୍ରିକ୍‌ ଓ ଅନ୍ୟ ଶ୍ରେଣୀ ପିଲାଙ୍କ ପରୀକ୍ଷା ଅଛି। ପିଲାଙ୍କ ପାଠପଢ଼ା ନେଇ ଶିକ୍ଷକ ଓ ଅଭିଭାବକ ଚିନ୍ତାରେ।

Share